ବନ୍ୟା ପ୍ରଭାବିତ ଆସିକା ହରିହର ହାଇସ୍କୁଲ ବିଦ୍ୟାର୍ଥୀଙ୍କୁ ନୁଆଁ ପାଠ୍ୟପୁସ୍ତକ ବଣ୍ଟନ

ଆସିକା (ୱାଇଏନ୍‍ଏସ୍‍): ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ପ୍ରଭାବିତ ହୋଇଥିବା ସ୍ଥାନୀୟ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ପ୍ରାୟ ୫୨ ଜଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାବିଭାଗ ପକ୍ଷରୁ ନୂତନ ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କ ସଂଯୋଜନା ଏବଂ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ନୁଆଁ ପାଠ୍ୟପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ବନ୍ୟା ବିପନ୍ନ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିବା ସାଙ୍ଗକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନୁଆଁ ପାଠ୍ୟପୁସ୍ତକକୁ ଭଲ ରୂପେ ପଢି ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଆଗାମୀ ବାର୍ଷିକ ପରୀକ୍ଷାରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହେବାକୁ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ବନ୍ୟା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ସକାଶେ ଅନୁଷ୍ଠିତ ହୋଇଥିବା ଏହି ନୂତନ ପାଠ୍ୟପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଏବଂ ବିଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ପରିସରରେ ବନ୍ୟାବିପନ୍ନ ଛାତ୍ରଛାତ୍ରୀଙ୍କୁ ନୁଆଁ ପାଠ୍ୟପୁସ୍ତକ ବଣ୍ଟନ ସକାଶେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ସହକାରୀ ଶିକ୍ଷକ ରଂଜିତ୍‍ କୁମାର ପ୍ରଧାନ, ଅର୍ଚ୍ଚନା ପାଢୀ, ପ୍ରଶାନ୍ତ କୁମାର ନାୟକ, ମମତା କୁମାରୀ ଭଂଜ, ନର୍ମଦା କୁମାରୀ ସ୍ୱାଇଁ, ଅଜିତ୍‍ କୁମାର ରଣା, ଚନ୍ଦ୍ରିକା ସୁନା, ଦେବେନ୍‍ ନାୟକ, ମନୋରଂଜନ ପଣ୍ଡା, ବଟକୃଷ୍ଣ ଗୌଡ, ସବିତା ତ୍ରିପାଠୀ, ଗାୟତ୍ରୀ କୁମାରୀ ପାତ୍ର, ଲକ୍ଷ୍ମୀବାଇ ପାତ୍ର, ପ୍ରଜ୍ଞାପରମିତା ପଣ୍ଡା, ଅନିଲ୍‍ ବେହେରା, ଆଦିତ୍ୟ କୁମାର ଓଡଣ୍ଡ୍ରା, ଫକୀର ମୋହନ ସ୍ୱାଇଁଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ସହରର ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ପ୍ରଭୁତ କ୍ଷତି ଘଟିଥିବା ବେଳେ ବର୍ତ୍ତମାନ କିଛି ମାତ୍ରାରେ ଶିକ୍ଷାନୁଷ୍ଠାନ ସ୍ୱାଭାବିକ ଅବସ୍ଥାକୁ ଫେରି ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଠପଢାରେ ଯେପରି ବାଧା ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ସ୍ଥିତ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ପ୍ରାୟ ୫୨ ଜଣ ବନ୍ୟାବିପନ୍ନ ବିଦ୍ୟାର୍ଥୀଙ୍କ ପାଇଁ ନୁଆଁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ଜଣାପଡିଛି । ବନ୍ୟାବିପନ୍ନ ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ନୁଆଁ ପାଠ୍ୟପୁସ୍ତକ ବଣ୍ଟନ ପଦକ୍ଷେପକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଏବଂ ଉଚ୍ଚ ପ୍ରଶଂସା କରାଯାଉଥିବା ଜଣାପଡିଛି । ଆସିକା ଅଞ୍ଚଳର ବନ୍ୟାବିପନ୍ନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ନବମ ଓ ଦଶମ ଶ୍ରେଣୀର ନୁଆଁ ପାଠ୍ୟପୁସ୍ତକ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇସାରିଥିଲା ବେଳେ ଆଗାମୀ କିଛି ଦିନ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ବନ୍ୟା ପ୍ରଭାବିତ ବିଦ୍ୟାର୍ଥୀଙ୍କ ପାଇଁ ମଧ୍ୟ ନୁଆଁ ପାଠ୍ୟପୁସ୍ତକ ଆସିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ