ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ପରଲୋକ

 ଗୁଣପୁର(ଓ୍ବାଇଏନଏସ): ଗୁଣପୁର ଅଞ୍ଚଳର ବିଶିଷ୍ଟ ତଥା ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କର ଶନିବାର ସକାଳେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଗୁଣପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଆଇନଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନାନୁଯାୟୀ, ସ୍ୱର୍ଗତ ମଣିପାତ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ ଚିକିତ୍ସା ସତ୍ତ୍ୱେ ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ମରଶରୀରକୁ ଗୁଣପୁରସ୍ଥିତ ଗୁଲା ସାହି ବାସଭବନକୁ ଅଣାଯାଇଛି। ବାହାରେ ରହୁଥିବା ତାଙ୍କ ଝିଅ ଗୁଣପୁରରେ ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି। ସେ ତାଙ୍କ ପଛରେ ଧର୍ମପତ୍ନୀ, ଦୁଇ ଝିଅ, ଜଣେ ପୁଅ ଓ ଅନ୍ୟାନ୍ୟ ଆତ୍ମୀୟସ୍ୱଜନଙ୍କୁ ଛାଡ଼ିଯାଇଛନ୍ତି। ସ୍ୱର୍ଗତ ମଣିପାତ୍ର ଜଣେ କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର ଓ ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ଦୀର୍ଘଦିନର ଆଇନ ପେସା ଓ ସାମାଜିକ ଜୀବନରେ ଅବଦାନକୁ ସ୍ଥାନୀୟ ମହଲରେ ସ୍ମରଣ କରାଯାଉଛି। ତାଙ୍କ ବିୟୋଗରେ ଗୁଣପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟର ସଭାପତି ଡ. ସତ୍ୟପ୍ରକାଶ ପଣ୍ଡା, ଉପସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡାଙ୍କ ସମେତ ଗୁଣପୁର ଓକିଲ ସଂଘ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତେ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ