ଶିଶୁଙ୍କ ମାନସିକ ସୁରକ୍ଷା ପାଇଁ ସରକାର ଓ ସମାଜର ମିଳିତ ଉଦ୍ୟମ ଜରୁରୀ: ଜଷ୍ଟିସ୍ ସାବିତ୍ରୀ ରଥୋ
କଟକ, (ଓ୍ବାଇଏନଏସ): ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା କେବଳ ପରିବାରର ଦାୟିତ୍ୱ ନୁହେଁ, ଏଥିପାଇଁ ସରକାର, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସମଗ୍ର ସମାଜର ସକ୍ରିୟ ସହଯୋଗ ଆବଶ୍ୟକ। ଶିଶୁମାନେ ମାନସିକ ସମସ୍ୟାର ସମ୍ମୁଖୀନ ହେଲେ ସେମାନଙ୍କୁ ସହାନୁଭୂତି, ସମ୍ମାନ ଓ ମର୍ଯ୍ୟାଦାର ସହ ସହାୟତା ପ୍ରଦାନ କରିବା ହିଁ ଏକ ସୁସ୍ଥ ସମାଜର ପରିଚୟ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜୁଭେନାଇଲ୍ ଜଷ୍ଟିସ୍ କମିଟିର ଅଧ୍ୟକ୍ଷା ଜଷ୍ଟିସ୍ ସାବିତ୍ରୀ ରଥୋ। ଶନିବାର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା (NLUO)ର ସେଣ୍ଟର ଫର୍ ଚାଇଲ୍ଡ ରାଇଟ୍ସ (CCR) ଏବଂ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ (CRY)ର ମିଳିତ ଆୟୋଜନରେ ‘ମହାମାରୀ ପରବର୍ତ୍ତୀ ବିଶ୍ୱରେ ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ: ରାଜ୍ୟ, ସମାଜ ଓ ନିଜର ଭୂମିକା’ ଶୀର୍ଷକ ରାଜ୍ୟସ୍ତରୀୟ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷୀୟ ଅଭିଭାଷଣ ଦେଇ ଜଷ୍ଟିସ୍ ରଥୋ ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟକୁ ଏକ ସାମ୍ବିଧାନିକ, ସାମାଜିକ ଓ ନୈତିକ ପ୍ରସଙ୍ଗ ଭାବେ ବିଚାର କରିବାକୁ ମତ ଦେଇଥିଲେ। ଶିଶୁମାନଙ୍କୁ ନିର୍ଭୟରେ ନିଜ ସମସ୍ୟା ଜଣାଇବାର ସୁଯୋଗ ଦେବା ସହ ମାନସିକ ସ୍ୱାସ୍ଥ୍ୟ ସେବା ଓ ଭାବନାତ୍ମକ ସୁରକ୍ଷା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଜୁଭେନାଇଲ୍ ଜଷ୍ଟିସ୍ ବ୍ୟବସ୍ଥା ସହ ଜଡ଼ିତ ଶିଶୁଙ୍କ କ୍ଷେତ୍ରରେ ଦଣ୍ଡ ବା ପ୍ରକ୍ରିୟାଗତ ଔପଚାରିକତା ଅପେକ୍ଷା ସେମାନଙ୍କ ପୁନର୍ବାସ ଓ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଆଲୋଚନାରେ ନ୍ୟାୟପାଳିକା, ସରକାରୀ ବିଭାଗ, ଶିକ୍ଷାବିତ୍ ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ମହାମାରୀ ପରବର୍ତ୍ତୀ ସମୟରେ ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଓ ଜଷ୍ଟିସ୍ ଏମ୍.ଏସ୍. ରମଣ ଏଥିରେ ଯୋଗଦେଇଥିଲେ। ସେହିପରି ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ନିରାକରଣ ସମ୍ପର୍କିତ ସୁପ୍ରିମକୋର୍ଟ ନିଯୁକ୍ତ ଜାତୀୟ ଟାସ୍କଫୋର୍ସର ସଦସ୍ୟା ପ୍ରଫେସର ଡାକ୍ତର ଆକ୍ସା ଶେଖ୍, ଓଡ଼ିଶା ପୋଲିସର ଅତିରିକ୍ତ ଡିଜିପି ଶ୍ୟାନି ଏସ୍., ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ସୁମିତ୍ରା କେ. ପଟ୍ଟନାୟକ ନିଜ ନିଜ ବିଭାଗର ପଦକ୍ଷେପ ଓ ଆବଶ୍ୟକ ସହଯୋଗ ସମ୍ପର୍କରେ ମତ ରଖିଥିଲେ। କ୍ରାଏର ଗବେଷଣା ଓ ଜ୍ଞାନ ଆଦାନପ୍ରଦାନ ବିଭାଗର ନିର୍ଦ୍ଦେଶକ ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ ଏନ୍ସିଆର୍ବିର ୨୦୨୪ ତଥ୍ୟ ଆଧାରରେ ଦେଶରେ ପ୍ରତିଦିନ ୩୧ ଜଣ ଶିଶୁ ଓ ୪୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାରୁ ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ନେବା ଜରୁରୀ ବୋଲି ସେ ମତ ଦେଇଥିଲେ। ଏସ୍ସିବି ମେଡିକାଲ୍ କଲେଜର ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଅଧୀକ୍ଷକ ପ୍ରଫେସର ଡାକ୍ତର ଶରଦା ପ୍ରସନ୍ନ ସ୍ୱାଇଁ ମାନସିକ ସ୍ୱାସ୍ଥ୍ୟ ଆଇନ ପ୍ରଣୟନର ୯ ବର୍ଷ ପରେ ମଧ୍ୟ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତ୍ରୈମାସିକ ସମୀକ୍ଷା ବୈଠକ ଆରମ୍ଭ ହୋଇନଥିବା କଥା ଉଠାଇଥିଲେ। ଏହାର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱ ଦେଇଥିଲେ।


