କୋଣାର୍କରେ ଜାତୀୟ ପ୍ରେସ୍ ଦିବସ ପାଳିତ

କୋଣାର୍କ (ଓ୍ବାଇଏନଏସ) : ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କସ୍ଥିତ ଯାତ୍ରୀ ନିବାସର ସମ୍ମେଳନ କକ୍ଷରେ ଅଗ୍ରଣୀ ଇଂରାଜୀ ପତ୍ରିକା ‘ମାସ୍ ଆଉଟ୍ ରିଚ୍’ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପତ୍ରିକାର ସମ୍ପାଦକ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସାମ୍ବାଦିକତାର ନିରପେକ୍ଷତା, ବାକ୍ ସ୍ୱାଧୀନତା ଓ ଗଣମାଧ୍ୟମର ଦାୟିତ୍ୱବୋଧ ଉପରେ ଆଲୋଚନା ହୋଇଥିଲା। ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ସମୀକ୍ଷକ ରବି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ସାମ୍ବାଦିକ ଭବାନୀ ଶଙ୍କର ମହାପାତ୍ର, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତୀ ବାଳା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଗଣମାଧ୍ୟମ ହେଉଛି ସାଧାରଣ ଜନତାଙ୍କ ସ୍ୱର। ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ୀକରଣ ପାଇଁ ସାମ୍ବାଦିକତାର ସ୍ୱାଧୀନତା ଓ ନିରପେକ୍ଷତା ଅତ୍ୟନ୍ତ ଜରୁରୀ। ଏଥିସହ କାର୍ଯ୍ୟରତ ସାମ୍ବାଦିକମାନେ ଯେପରି ବିନା ଚାପରେ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ପରିବେଶ ଓ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ। ଏହି ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ କମିଶନ ଗଠନର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଥିଲା। ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ରବି ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଗଣମାଧ୍ୟମର ନିରପେକ୍ଷତା ଧୀରେ ଧୀରେ ହ୍ରାସ ପାଉଛି। ସମ୍ବାଦ ସରବରାହ ସଂସ୍ଥାଗୁଡ଼ିକର ବିଭିନ୍ନ ଚାପ ଯୋଗୁଁ ଅନେକ ସମୟରେ ଗଣମାଧ୍ୟମ ଜନସାଧାରଣଙ୍କ ସ୍ୱରକୁ ଯଥାର୍ଥ ଭାବେ ଉପସ୍ଥାପନ କରିବାରେ ବାଧା ସୃଷ୍ଟି ହେଉଛି। ତେଣୁ ସାମ୍ବାଦିକମାନେ ସତ୍ୟନିଷ୍ଠା ଓ ନିରପେକ୍ଷତାକୁ ସାମ୍ବାଦିକତାର ମୂଳମନ୍ତ୍ର ଭାବେ ଗ୍ରହଣ କରିବା ଉଚିତ ବୋଲି ସେ ମତ ଦେଇଥିଲେ।ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ କାର୍ଯ୍ୟଦକ୍ଷତା ପାଇଁ ପୁରୀ, କାକଟପୁର, କୋଣାର୍କ, ବାଲିପାଟଣା, ଅସ୍ତରଙ୍ଗ ଓ ଭୁବନେଶ୍ୱର ଅଞ୍ଚଳର ୨୨ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଭୁବନେଶ୍ୱର, ପୁରୀ ଓ କୋଣାର୍କ ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ କାର୍ଯ୍ୟରତ ସାମ୍ବାଦିକ ଯୋଗଦେଇଥିଲେ। ଇଂରାଜୀ ପତ୍ରିକା ‘ମାସ୍ ଆଉଟ୍ ରିଚ୍’ର ସୁଶାନ୍ତ କୁମାର ମଲ୍ଲିକ, ପ୍ରିୟଙ୍କା ମହାନ୍ତି ଓ ପ୍ରଜ୍ଞା ପାରମିତା ମହାନ୍ତି ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ