ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ପାଳିତ
କଟକ, (ଓ୍ବାଇଏନଏସ): ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତାର ଅଧ୍ୟାୟ ଯୋଡ଼ିଛି ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ମୋଟ ୭୨୦ ଜଣ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ବିଭାଗରେ ଡିଗ୍ରୀ ପ୍ରଦାନ କରାଯାଇଥିବାବେଳେ ଶିକ୍ଷାକ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କୃତୀ ବିଦ୍ୟାର୍ଥୀଙ୍କୁ ପଦକ ପ୍ରଦାନ କରି ସମ୍ମାନିତ କରାଯାଇଛି। ଉପାଧି ହାସଲ କରିଥିବା ୭୨୦ ଜଣଙ୍କ ମଧ୍ୟରେ ୪୫୦ ଜଣ ସ୍ନାତକ, ୨୧୬ ଜଣ ସ୍ନାତକୋତ୍ତର ଏବଂ ୫୪ ଜଣ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ଶିକ୍ଷାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ୨୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୨୪ ଜଣଙ୍କୁ ରୌପ୍ୟ ପଦକ ଏବଂ ୧୭ ଜଣଙ୍କୁ କାଂସ୍ୟ ପଦକ ପ୍ରଦାନ କରାଯାଇଛି। ଏହି ଗରିମାମୟ ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଚନ୍ଦ୍ରିକା କ୍ରିଷ୍ଣମୂର୍ତ୍ତି ଟଣ୍ଡନ ଯୋଗଦେଇଥିବାବେଳେ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ଆଦେଶ ଗୋୟଲ ମଧ୍ୟ ନିଜର ଅଭିଭାଷଣ ରଖିଥିଲେ। ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କୁଳସଚିବ ଶୁଭଜ୍ୟୋତି ଘୋଷ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କୁଳପତି ପ୍ରଫେସର ତେଜ ପ୍ରତାପ ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ କୃତୀ ବିଦ୍ୟାର୍ଥୀଙ୍କୁ ପଦକ ପ୍ରଦାନ ସହ ଡକ୍ଟରେଟ୍ ଉପାଧିପ୍ରାପ୍ତ ଗବେଷକମାନଙ୍କୁ ଶପଥ ପାଠ କରାଯାଇ ଉପାଧି ପ୍ରଦାନ କରାଯାଇଥିଲା। ସ୍ନାତକ ଓ ସ୍ନାତକୋତ୍ତର ଉପାଧିପ୍ରାପ୍ତ ବିଦ୍ୟାର୍ଥୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ସମାବର୍ତ୍ତନ ଉତ୍ସବ କେବଳ ଡିଗ୍ରୀ ପ୍ରଦାନର ଏକ ଔପଚାରିକ କାର୍ଯ୍ୟକ୍ରମ ନୁହେଁ, ବରଂ ବିଦ୍ୟାର୍ଥୀଙ୍କ ଦୀର୍ଘ ଶିକ୍ଷାଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ସଫଳତାର ସ୍ୱୀକୃତି। ଏହି ଉତ୍ସବ ମାଧ୍ୟମରେ ନୂତନ ଡିଗ୍ରୀଧାରୀମାନେ ନିଜ ଜ୍ଞାନ, ଦକ୍ଷତା ଓ ଅନୁଭୂତିକୁ ସମାଜର ବୃହତ୍ତର ସ୍ୱାର୍ଥରେ ଉପଯୋଗ କରିବାର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଶେଷରେ ଜାତୀୟ ସଙ୍ଗୀତ ପରିବେଷଣ ଓ ଧନ୍ୟବାଦ ଅର୍ପଣ ସହ ସମାରୋହର ପରିସମାପ୍ତି ଘଟିଥିଲା। ଏହି ଅବସରରେ ଅତିଥିମାନଙ୍କ ସହ ଉପାଧିପ୍ରାପ୍ତ ବିଦ୍ୟାର୍ଥୀମାନଙ୍କର ସାମୂହିକ ଫଟୋ ଉତ୍ତୋଳନ କରାଯାଇଥିଲା।


