ସମ୍ଭାବ୍ୟ ବାତ୍ୟା “ଅକ୍‍ଭାନ୍‍” ର ମୁକାବିଲା ପାଇଁ ଆସିକାରେ ପ୍ରଶାସନିକ ତତ୍ପରତା

ଆସିକା(ୱାଇଏନ୍‍ଏସ୍‍) : ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର କ୍ଷତ ଶୁଖିନଥିବା ବେଳେ ମରାସୁର ଭୟ ବି ଲିଭିନି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଶୁଣି ପୁଣି ସମ୍ଭାବ୍ୟ ବାତ୍ୟା ଆକ୍‍ଭନ୍‍କୁ ନେଇ ଆସିକା ଅଞ୍ଚଳବାସୀଙ୍କ ଚିନ୍ତା ଓ ଛନକା ବଢିଯାଇଛି । ସମ୍ଭାବ୍ୟ ବାତ୍ୟା “ଅକ୍‍ଭାନ୍‍” ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଉଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ “ଅକ୍‍ଭାନ୍‍”ର ପ୍ରଭାବରେ ବାତ୍ୟା ଓ ଭୀଷଣ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍କୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକାରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ନ ବାତ୍ୟା “ଅକ୍‍ଭାନ୍‍”ର ମୁକାବିଲା ପାଇଁ ରବିବାର ପୂର୍ବାହ୍ନରେ ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସିକା ତହସିଲଦାର ସଙ୍ଗୀତା ସେଣ, ଆସିକା ଅଗ୍ନିଶମ ସେବାକେନ୍ଦ୍ରର ଅଧିକାରୀ ସନତ୍‍ ପ୍ରଧାନ, ଏବିଡିଓ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଆସନ୍ନ ବାତ୍ୟା ସଂପର୍କିତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସାଙ୍ଗକୁ ଜିରୋ କାଜୁଆଲଟି ଉପରେ ସର୍ବାଧିକ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ଭାବ୍ୟ ବାତ୍ୟାର ପୂର୍ବ ଓ ପରବର୍ତ୍ତୀ ସମୟକୁ କିଭଳି ଭାବେ ସୁପରିଚାଳନା କରାଯିବ ତାହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା । ଅତୀତରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବରେ ହୋଇଥିବା ଏକାଧିକ ବାତ୍ୟା ଓ ବନ୍ୟାରେ ଆସିକା ଅଞ୍ଚଳରେ ପ୍ରଭୁତ କ୍ଷତି ଘଟିଥିବା ନଜିର୍‍ ରହିଛି । ତେଣୁ ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିକୁ ରଖି ମୁକାବିଲା ପାଇଁ ଆସିକାରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଆସିକାରେ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅକ୍‍ଭାନ୍‍ର ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ସିଡିପିଓ ଶାନ୍ତିକରସୁଧା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବରାମ ବେହେରା, ଟିପିଏସ୍‍ଓଡିଏଲ୍‍ ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ୍‍ କୁମାର ପାତ୍ର, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବ କୁମାର ଦୋରା, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା, ଜିପିଡିଓ ରାଜଶ୍ରୀ ସାହୁ, ବ୍ଳକ ଏଇଇ ଶ୍ରୀନିବାସ ପାତ୍ର, ଆୟୁଷ୍‍ ମେଡିକାଲ୍‍ ଅଫିସର୍‍ ଡାକ୍ତର ସୁଜିତ୍‍ କୁମାର ପାତ୍ର, ପିଇଓ ସୁକାନ୍ତ କୁମାର ନାୟକ, ସୁଶାନ୍ତ କୁମାର ଭୂୟାଁ, ସୁଶାନ୍ତ କୁମାର ଗୌଡ, ଡବ୍ଳୁଇଓ ମିନତୀ ବେହେରା, ଆସିକା ବ୍ଳକ କୃଷି ଅଧିକାରୀ ବିଶ୍ୱରଂଜନ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଳୟଙ୍କରୀ ବନ୍ୟାର ପ୍ରଭାବରେ ଅକ୍ଟୋବର ମାସ ୨୯ ତାରିଖରେ ଆସିକା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବେଳେ ଏବେ ପୁଣି ସମ୍ଭାବ୍ୟ ବାତ୍ୟାକୁ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା ବେଳେ ଆସନ୍ନ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ