ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ପ୍ରଫେସର ତପନ କୁମାର ପତି ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରି ଜାତୀୟ ପ୍ରେସ ଦିବସର ଗୁରୁତ୍ୱ, ଉଦ୍ଦେଶ୍ୟ ଏବଂ ସାମ୍ବାଦିକତାର ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଗଣମାଧ୍ୟମ ଗଣତନ୍ତ୍ରର ଏକ ମୁଖ୍ୟ ସ୍ତମ୍ଭ ଭାବେ ଜନସାଧାରଣଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ସମାଜରେ ସଚେତନତା ସୃଷ୍ଟି କରିଥାଏ। ସାମ୍ବାଦିକମାନେ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କରିବା ସମୟରେ ସତ୍ୟତା, ନିରପେକ୍ଷତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦେବା ଉଚିତ। ଜନସ୍ୱାର୍ଥ ସମ୍ବଳିତ ଖବରକୁ ଗୁରୁତ୍ୱ ଦେବା ସହ ସକାରାତ୍ମକ ସାମ୍ବାଦିକତା ମାଧ୍ୟମରେ ସମାଜର ବିକାଶରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟବକ୍ତା ପ୍ରଫେସର ପତି ନିଜ ବକ୍ତବ୍ୟରେ ସାମ୍ବାଦିକତାର ମୂଳ ଆଦର୍ଶ ଓ ନୈତିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନର ପ୍ରତିଯୋଗିତାମୂଳକ ପରିବେଶରେ ଲୋକପ୍ରିୟତା ଓ ଦ୍ରୁତ ଖବର ପ୍ରସାର ଅପେକ୍ଷା ସତ୍ୟାସତ୍ୟ ଯାଞ୍ଚ ଏବଂ ଜନସ୍ୱାର୍ଥକୁ ଅଧିକ ପ୍ରାଧାନ୍ୟ ଦେବା ଜଣେ ଦାୟିତ୍ୱବାନ ସାମ୍ବାଦିକଙ୍କ ପ୍ରମୁଖ କର୍ତ୍ତବ୍ୟ। ଅନ୍ୟତମ ଅତିଥି ଶ୍ରୀ ଗୌଡ଼ ଖବର ପ୍ରସାରଣ ସମୟରେ ସଂଯମତା ଓ ସାମାଜିକ ସମ୍ବେଦନଶୀଳତା ବଜାୟ ରଖିବା ସହ ଅପ୍ରମାଣିତ ଖବରର ପ୍ରସାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, ରବିନାରାୟଣ ପତି, ମାତୃଦତ୍ତ ମହାନ୍ତି, ସରୋଜ କୁମାର ପରିଡ଼ା, ନିହାର ରଞ୍ଜନ ସାହୁ, ପ୍ରଭାତ ଲେଙ୍କା ଓ ଅଲେଖ ନାୟକ ପ୍ରମୁଖ ଚଳିତ ବର୍ଷର ବିଷୟବସ୍ତୁ ଉପରେ ନିଜ ନିଜର ମତ ରଖିଥିଲେ। ଡିଜିଟାଲ ଓ ସାମାଜିକ ଗଣମାଧ୍ୟମର ବର୍ଦ୍ଧିତ ପ୍ରଭାବ ମଧ୍ୟରେ ଭ୍ରମାତ୍ମକ ସୂଚନାର ପ୍ରସାର ରୋକିବା ଦିଗରେ ସାମ୍ବାଦିକମାନଙ୍କ ଦାୟିତ୍ୱ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଖବରର ଲୋକପ୍ରିୟତା ପାଇଁ ଏହାର ଗୁଣବତ୍ତା ଓ ସତ୍ୟତା ସହ ସାଲିସ ନକରି ସମାଜର ବାସ୍ତବ ସମସ୍ୟା ଓ ସଫଳତାକୁ ନିରପେକ୍ଷ ଭାବେ ଲୋକଲୋଚନକୁ ଆଣିବା ସାମ୍ବାଦିକତାର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକତାର ମୂଳ ଆଦର୍ଶ, ସ୍ୱାଧୀନତା ଓ କର୍ତ୍ତବ୍ୟବୋଧକୁ ଅକ୍ଷୁଣ୍ଣ ରଖି ଏକ ସୁସ୍ଥ ସମାଜ ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା।


