ବିଶ୍ୱର ଏକ ନମ୍ବର ରାଷ୍ଟ୍ର ହେବା ଭାରତର ଲକ୍ଷ୍ୟ, କାହାରି ଅନାବଶ୍ୟକ ସର୍ତ୍ତ ମାନିବାକୁ ପଡ଼ିବନି: ଉପରାଷ୍ଟ୍ରପତି
କଟକ, (ଓ୍ବାଇଏନଏସ): ଭାରତ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି। ଅନ୍ୟ ଦେଶ ଉପରେ ନିଜର ସର୍ତ୍ତ ଲଦିବା ନୁହେଁ, ବରଂ ଭାରତ ଯେପରି କୌଣସି ଦେଶର ଅନାବଶ୍ୟକ ସର୍ତ୍ତର ଶିକାର ନହୁଏ, ସେଥିପାଇଁ ଏହି ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ। ସୋମବାର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ନବନିର୍ମିତ ଅତ୍ୟାଧୁନିକ ଶିକ୍ଷାଗତ କୋଠା ‘ଆଇକନିକ୍ ଟାୱାର’ର ଉଦ୍ଘାଟନ ପରେ ଆୟୋଜିତ ସଭାରେ ଯୋଗଦେଇ ସେ ଏହା କହିଛନ୍ତି। ଏକ ବିକଶିତ ଭାରତ ନିଜର ସ୍ୱାଧୀନତାର ଶତବାର୍ଷିକୀକୁ ଆତ୍ମବିଶ୍ୱାସ, ସାମର୍ଥ୍ୟ ଓ ବିଶ୍ୱସ୍ତରୀୟ ନେତୃତ୍ୱ ସହ ପାଳନ କରିବାକୁ ଚାହୁଁଛି ବୋଲି ସେ ମତପ୍ରକାଶ କରିଥିଲେ। ଭାରତୀୟ ସଂସ୍କୃତିର ମୂଳ ଆଧାର ହେଉଛି ଅନ୍ୟକୁ ସହଯୋଗ କରିବା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା। ଏହି ମୂଲ୍ୟବୋଧକୁ ଆଧାର କରି ଦେଶର ବିକାଶ ହେବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି କହିଥିଲେ। ଏଥିସହ ଜାତୀୟ ଲକ୍ଷ୍ୟ ପୂରଣରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଗୁରୁତ୍ୱ ଦେଇଆସୁଥିବା ସେ ଉଲ୍ଲେଖ କରିଥିଲେ। ଗତ ୧୨ ବର୍ଷ ମଧ୍ୟରେ ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇଥିବା ସେ କହିଥିଲେ। ୨୦୧୪ରେ ଦେଶରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୭୬୦ ଥିବାବେଳେ ଏବେ ଏହା ୧୪୦୦ରେ ପହଞ୍ଚିଛି। ସେହିପରି ଆଇଆଇଟି ସଂଖ୍ୟା ୧୬ରୁ ୨୩, ଆଇଆଇଏମ୍ ୧୩ରୁ ୨୨ ଏବଂ ଏମ୍ସ ସଂଖ୍ୟା ୭ରୁ ୧୩କୁ ବୃଦ୍ଧି ପାଇଛି। ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ୨୦୧୪ରେ ୩.୪୨ କୋଟି ଥିବାବେଳେ ଏବେ ୪.୫ କୋଟିରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଥିଲେ। ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ସହ ଅଧିକ ପଦକ ହାସଲ କରୁଛନ୍ତି। ଏହା ଦେଶରେ ବଢ଼ୁଥିବା ନାରୀଶକ୍ତିର ଏକ ସ୍ପଷ୍ଟ ପ୍ରତିଫଳନ। ମହିଳାମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଆଗଲେ ସେମାନେ ନିଜେ ସଶକ୍ତ ହୋଇପାରିବେ ବୋଲି ସେ ମତ ରଖିଥିଲେ।ଓଡ଼ିଶାରେ ଆଦିବାସୀ ଜନସଂଖ୍ୟା ଅଧିକ ଥିବାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ଆଦିବାସୀ ପିଲାଙ୍କ ପାଇଁ ‘ସ୍କୁଲ କନେକ୍ଟ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସେ ଆହ୍ୱାନ ଦେଇଥିଲେ। ଯାହାଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀମାନେ ଅଧାରୁ ପାଠପଢ଼ା ଛାଡ଼ିବେ ନାହିଁ ଏବଂ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଜଣେ ବ୍ୟକ୍ତିର ପ୍ରକୃତ ଉଚ୍ଚତା ତାଙ୍କ ଜ୍ଞାନର ଗଭୀରତା ଓ ଚରିତ୍ରର ଦୃଢ଼ତା ଦ୍ୱାରା ମପାଯାଏ। ତେଣୁ ଚିନ୍ତା ଓ କାର୍ଯ୍ୟରେ ସର୍ବଦା ‘ରାଷ୍ଟ୍ର ପ୍ରଥମ’ ନୀତିକୁ ଗୁରୁତ୍ୱ ଦେବା ସହ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଇକନିକ୍ ଟାୱାର ଜ୍ଞାନର ଭିତ୍ତିଭୂମି, ପ୍ରଜ୍ଞାର ଆଲୋକ, ନବସୃଜନର ମାଧ୍ୟମ, କରୁଣାର ଶକ୍ତି ଓ ସେବାର ଆଦର୍ଶକୁ ପ୍ରତିଫଳିତ କରୁ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଟାୱାର ଆଗାମୀ ପିଢ଼ି ପାଇଁ ଶିକ୍ଷାର ଆଲୋକବର୍ତ୍ତିକା ଓ ଓଡ଼ିଶାର ଚିରନ୍ତନ ସଂସ୍କୃତିର ପ୍ରତୀକ ହୋଇ ରହିବ ବୋଲି ସେ କହିଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ନବଉଦ୍ଘାଟିତ ଆଇକନିକ୍ ଟାୱାରରେ ଥିବା ଅତ୍ୟାଧୁନିକ ପ୍ଲାନେଟୋରିୟମ୍ ପରିଦର୍ଶନ କରିଥିଲେ। ବିଜ୍ଞାନ ପ୍ରତି ଆଗ୍ରହ, ଆବିଷ୍କାର ଓ ନବସୃଜନର ଭାବନାକୁ ଏହା ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା। ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଡଃ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ଆଜୀବନ ସଭାପତି ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଥିଲେ।


