ପିଏମ୍ ଶ୍ରୀ ନୋଡାଲ ଜି.ଟି. ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠାସ୍ଥିତ ପିଏମ୍ ଶ୍ରୀ ନୋଡାଲ ଜି.ଟି. ହାଇସ୍କୁଲ ପରିସରରେ ବୁଧବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ସହ ସେମାନଙ୍କ ସୃଜନଶୀଳତା ଓ ଅନୁସନ୍ଧାନମୂଳକ ଚିନ୍ତାଧାରାର ବିକାଶ ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ବିଚାରକ ଭାବେ ଇଙ୍ଗିନାଠୀ ଓ୍ୱାଇ.ଏନ୍. ହାଇସ୍କୁଲର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ବେହେରା ଏବଂ ଆମ୍ବପୁଆ ୟୁ.ଜି. ହାଇସ୍କୁଲର ଟି.ଜି.ଟି. (ପିସିଏମ୍) ଶିକ୍ଷକ ବିମୟ କୁମାର ନାୟକ ଯୋଗଦେଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦୀପା ସ୍ୱାଇଁ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ବିଜ୍ଞାନର ବିଭିନ୍ନ ବିଷୟ ଉପରେ ଆଧାରିତ ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶନ କରିବା ସହ ସେଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ବାସ୍ତବ ଜୀବନରେ ଉପଯୋଗିତା ସମ୍ପର୍କରେ ବୁଝାଇଥିଲେ। ବିଚାରକମାନେ ପ୍ରକଳ୍ପର ନୂତନତ୍ୱ, ବୈଜ୍ଞାନିକ ଉପାଦେୟତା ଓ ଉପସ୍ଥାପନା ଶୈଳୀକୁ ଆଧାର କରି ମୂଲ୍ୟାଙ୍କନ କରିଥିଲେ।ଅତିଥିମାନେ ଦୈନନ୍ଦିନ ଜୀବନରେ ବିଜ୍ଞାନର ଭୂମିକା, ପରିବେଶ ସୁରକ୍ଷା ଓ ନୂତନ ଉଦ୍ଭାବନର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ମନୋଭାବ ଓ ଗବେଷଣାମୂଳକ ଚିନ୍ତାଧାରା ଆପଣାଇବାକୁ ପରାମର୍ଶ ଦେଇଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ବିଜ୍ଞାନ ଶିକ୍ଷୟିତ୍ରୀ ସୁନାଖି ଦିଗାଲ୍ ଉପସ୍ଥିତ ଅତିଥି, ବିଚାରକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ