ବାତ୍ୟା ‘ଅକ୍ୱାନ’ ନେଇ ବ୍ଲକ ପ୍ରଶାସନର ପ୍ରସ୍ତୁତି: ଗୋଟିଏ ସ୍ଥାୟୀ, ୭୦ଟି ଅସ୍ଥାୟୀ କେନ୍ଦ୍ର ଖୋଲିଲା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ମଧ୍ୟାହ୍ନରେ ବାତ୍ୟା ‘ଅକ୍ୱାନ’ ଓଡିଶାର ଗୋପାଳପୁର ଠାରେ ଲ୍ୟାଣ୍ଡ ଫଲ କରିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ବୁଧବାର ସନ୍ଧ୍ୟା ଠାରୁ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ହାଲକା ପବନ ବହୁଛି । ଗୁରବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି । ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଚାରିଗାଁ ପଞ୍ଚାୟତର ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାୟୀ କେନ୍ଦ୍ର ଭାବେ ନିଆଯାଇଛି । ସେହିପରି ୨୫ ପଞ୍ଚାୟତରେ ଥିବା ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡି ଓ କ୍ଲବ ଘର ଆଦି ୭୦ଟି ସ୍ଥାନରେ ଅସ୍ଥାୟୀ କେନ୍ଦ୍ର ଖୋଲା ଯାଇଛି । ବିଭିନ୍ନ କେନ୍ଦ୍ର ପାଇଁ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନଙ୍କୁ ଦାୟୀତ୍ୱରେ ରଖାଯାଇଛି । ସେମାନେ ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ ଓ ସାମାଜିକ କର୍ମୀ ମାନଙ୍କ ସହଯୋଗରେ କଚ୍ଚା ଘରେ ରହୁଥିବା ଲୋକ, ରୋଗୀ, ପ୍ରସୂତୀ ମହିଳା, ଛୋଟ ପିଲା ଏବଂ ଏହି ବ୍ଲକ ଦେଇ ପ୍ରଭାହିତ ସାଳନ୍ଦୀ, ରେବ, କପାଳୀ, ସରୁ ସାଗର ଆଦି ନଦୀ କୂଳରେ ବସବାସ କରୁଥିବା ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଅସ୍ଥାୟୀ କେନ୍ଦ୍ରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାତିରେ ସମସ୍ତ କେନ୍ଦ୍ରରେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ସେହିପରି ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଥିବା ବେଳେ ଏବେ ଠାରୁ ବିପଦପୂର୍ଣ୍ଣ ଗଛ ଓ ଡାଳ ଗୁଡିକୁ କାଟି ସଫା କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି । କୌଣସି ସ୍ଥାନରେ ବିପଦପୂର୍ଣ୍ଣ ଗଛ ଉପୁଡି ପଡିବାର ଆଶଙ୍କା ଥିଲେ ତୁରନ୍ତ ବ୍ଲକ ଓ ତହସିଲ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀକୁ ଜଣାଇବା ପାଇଁ ଜନ ସାଧାରଣ ମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ବିଡିଓ ସୀତାକାନ୍ତ ରାଉତ କହିଛନ୍ତି ।


