ଆଶ୍ରୟ କେନ୍ଦ୍ରରେ ୫ ହଜାର ୪ ଶହ ୫୦ ଜଣଙ୍କୁ ରନ୍ଧା ଖାଦ୍ୟ ବ୍ୟବସ୍ଥା
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଳକରେ ବାତ୍ୟା ‘ଅକବାନ’ର ପ୍ରଭାବ ଦେଖିବାକୁ ମିଳିଛି । ବୁଧବାର ସନ୍ଧ୍ୟା ଠାରୁ ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ସହିତ ହାଲକା ପବନ ଅନୁଭୂତ ହେଉଛି । ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ଲକରେ ଚାରିଗାଁ ପଞ୍ଚାୟତର ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳ ସମେତ ମୋଟ ୯୨ ଆଶ୍ରୟ ସ୍ଥଳ ଖୋଲା ଯାଇଥିବା ବେଳେ ସେଥିମଧ୍ୟରୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ୪୪ ଆଶ୍ରୟ ସ୍ଥଳରେ ମୋଟ ୫ ହଜାର ୪ ଶହ ୫୦ ଜଣ ଲୋକଙ୍କୁ ରଖା ଯାଇ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବିଡିଓ ସୀତାକାନ୍ତ ରାଉତ, ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥଙ୍କ ସମେତ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ଆଶ୍ରୟ ସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି । ଚାରିଗାଁ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, କନିଷ୍ଠ ଯନ୍ତ୍ରୀ ଅସୀମା ନାୟକ, ପିଇଓ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଜିଆରଏସ ଅଶୋକ ନନ୍ଦୀ, ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ସମିତି ସଭ୍ୟ ଧରଣୀଧର କର, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ସାହୁ, ୱାର୍ଡ ସଭ୍ୟ ରଞ୍ଜନ କୁମାର ସାହୁ, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ଚାରିଗାଁ ପଞ୍ଚାୟତ ପ୍ରମୁଖ ମଦନ କଟୁଆଳ ପ୍ରମୁଖ ଉପସ୍ଥିତ ରହି ବାତ୍ୟା ମୁକାବିଲାରେ ସହଯୋଗ କରୁଥିବା ଦେଖାଯାଇଥିଲା । ଅପରପକ୍ଷେ ଶୁକ୍ରବାର ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡିଥିବା ଦେଖାଯାଇଥିଲା । ଆଗରପଡା ଅଗ୍ନିଶମ ବାହିନୀ ପକ୍ଷରୁ ସେଣ୍ଢତୀରା ଓ ଗୋବିନ୍ଦପୁର ଠାରେ ଭାଙ୍ଗି ପଡିଥିବା ଗଛ ଡାଳ ଗୁଡିକୁ ସଫା କରାଯାଇଥିବା ଅଗ୍ନିଶମ ଅଧିକାରୀ ଦୀଲିପ କୁମାର ବେହେରା ଜଣାଇଛନ୍ତି । ବନ୍ତ ବିଦ୍ୟୁତ୍ ସେକ୍ସନ ଅଧିନ ଗଣିଜାଙ୍ଗ, କାଶିପୁର, ଓଡଙ୍ଗ ଏବଂ ଆଗରପଡା ସେକ୍ସନ ଅଧିନ ରାଉତରାପୁରର ୩୩ ଗ୍ରୀଡ୍ ପାଶ୍ୱର୍ରେ ଭାଙ୍ଗି ପଡିଥିବା ଗଛ ଡାଳକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ସଫେଇ କରାଯାଇଥିବା ନେଇ କନିଷ୍ଠ ପରିଚାଳକ ବିଶ୍ୱଜିତ ଓଝା ଏବଂ ରକ୍ଷାକର ଜେନା ସୂଚନା ଦେଇଛନ୍ତି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ତହସିଲ କାର୍ଯ୍ୟାଳୟରେ ପ୍ରଚୁର ପରିମାଣରେ ପଲିଥିନ ମହଜୁଦ ରଖାଯାଇଥିବା ବେଳେ ରାଜସ୍ୱ ନୀରିକ୍ଷକ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ତହସିଲଦାର ସୂଚନା ଦେଇଛନ୍ତି । ତେବେ ସମଗ୍ର ବ୍ଲକରେ ଲଗାଣ ବର୍ଷାକୁ ଛାଡି ଦେଲେ ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ଥିବା ଜଣାଯାଇଛି ।


