ସ୍ୱୟଂଶାସିତ ମାନ୍ୟତା ଦିଗରେ ଅଗ୍ରସର କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ: ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ବିଧାୟକ ମାନସ ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ଓଡ଼ିଶା ବିଧାନସଭାରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ ସମ୍ପର୍କିତ ପ୍ରସଙ୍ଗ ପୁନର୍ବାର ଉତ୍ଥାପନ କରିଛନ୍ତି। ମହାବିଦ୍ୟାଳୟର ଶିକ୍ଷାଗତ ଉତ୍କର୍ଷ, ଭିତ୍ତିଭୂମି ଓ ଭବିଷ୍ୟତ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ବିଧାୟକ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାଯାଇଛି ଯେ, ଉକ୍ତ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ ସମ୍ପର୍କିତ ବିଷୟ ସରକାରଙ୍କ ଅବଗତିରେ ରହିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀ ଓ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ମହାବିଦ୍ୟାଳୟଗୁଡ଼ିକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରାଯାଇଥାଏ। କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧିନିୟମର ଧାରା ୨(ଏଫ୍) ଓ ୧୨(ବି) ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଅଟେ। ଏହା ସହିତ ୨୦୨୩ ମସିହାରେ ଜାତୀୟ ମୂଲ୍ୟାଙ୍କନ ଓ ପ୍ରତ୍ୟାୟନ ପରିଷଦ (NAAC)ର ତୃତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନରେ ମହାବିଦ୍ୟାଳୟ ବି++ ଗ୍ରେଡ୍ ହାସଲ କରି ନିଜର ଶିକ୍ଷାଗତ ଗୁଣବତ୍ତା ଓ ଉତ୍କର୍ଷର ପରିଚୟ ପ୍ରଦାନ କରିଛି। ସୂଚନାଯୋଗ୍ୟ ଯେ, ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱୟଂଶାସିତ ମାନ୍ୟତା ପ୍ରାପ୍ତି ନିମନ୍ତେ ଗତ ୨୯ ଜୁଲାଇ ୨୦୨୪ ତାରିଖରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିକଟରେ ଆନୁଷ୍ଠାନିକ ଭାବେ ଆବେଦନ କରିଛନ୍ତି। ମହାବିଦ୍ୟାଳୟର ଶିକ୍ଷାଗତ ମାନ, ସ୍ୱୀକୃତି ଓ ଅନ୍ୟାନ୍ୟ ଆବଶ୍ୟକ ଯୋଗ୍ୟତାକୁ ଦୃଷ୍ଟିରେ ରଖି ଏହାକୁ ଖୁବ୍ଶୀଘ୍ର ସ୍ୱୟଂଶାସିତ ମାନ୍ୟତା ମିଳିବା ନେଇ ସକାରାତ୍ମକ ଆଶା ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ଦ୍ଧାରିତ ପ୍ରକ୍ରିୟା ଓ ଆବଶ୍ୟକ ଅନୁମୋଦନ ଉପରେ ନିର୍ଭର କରିବ।ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ଶ୍ରୀ ଦତ୍ତ ୨୦୨୪ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେବେଠାରୁ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ପ୍ରାପ୍ତି ବିଷୟକୁ ସେ ନିରନ୍ତର ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି। ଆଜି ପୁନର୍ବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସେ ମହାବିଦ୍ୟାଳୟର ଦୀର୍ଘଦିନର ଆକାଂକ୍ଷାକୁ ସାକାର କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବାଲେଶ୍ୱରକୁ ଉତ୍ତର ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଭାବେ ବିକଶିତ କରିବା ଏବଂ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକୁ ଜାତୀୟସ୍ତରୀୟ ମାନଦଣ୍ଡରେ ସୁଦୃଢ଼ କରିବା ତାଙ୍କର ଅନ୍ୟତମ ପ୍ରାଥମିକତା ବୋଲି ବିଧାୟକ ପ୍ରକାଶ କରିଛନ୍ତି।


