ବାତ୍ୟା ଜନିତ ବର୍ଷାରେ ଦିଗପହଣ୍ଡି ଉବୁଟୁବୁ : ମୁଖ୍ୟରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ‘ଅକ୍ୱାନ ‘ ବାତ୍ୟା ପ୍ରଭାବରେ ତୁହାକୁ ତୁହା ମୁଷଳ ଧାରା ରେ ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ ହୋଇଛି। ବିଶେଷକରି ସହରର ବସଷ୍ଟାଣ୍ଡ ବାସିନ୍ଦା  ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବ୍ରହ୍ମପୁର ଭାୟା ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥ ଦେଇ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର,କୋରାପୁଟ, କଳାହାଣ୍ଡି, ମାଲିକାନାଗିରି ଜିଲା ସମେତ ପଡୋଶୀ ଆନ୍ଧ୍ର,ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ କୁ ସଂଯୋଗ କରୁଥିବା ଏହି ରାଜ୍ୟ ରାଜପଥ ର ଦିଗପହଣ୍ଡି  ବସଷ୍ଟାଣ୍ଡ ଠାରେ ଶୁକ୍ରବାର ସକାଳୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚ ରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ଫଳରେ ରାସ୍ତାକଡ ରେ ଥିବା ୨ ଟି ରାଷ୍ଟ୍ରାୟତ ବ୍ୟାଙ୍କ,ଏଟିଏମ୍,ବିଭିନ୍ନ ବ୍ୟକ୍ତି ମାନଙ୍କ ଦୋକାନ ଓ ଅନେକ ଲୋକଙ୍କ ଘରେ  ନର୍ଦ୍ଦମା ବର୍ଷା ପାଣି ପଶିଯାଇଥିଲା । ବର୍ଷାଜଳର ପ୍ରଖର ସ୍ରୋତ ଏପରି ରହିଥିଲା ଯେ ଯାତାୟାତ କରୁଥିବା ଯାନବାହନ ଚାଳକ ଏବଂ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମନେ କରୁନଥିଲେ ।‌ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ,ତହସିଲଦାର ସନ୍ତୋଷ କୁମାର ସାହୁ,ଏନ୍ଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ପ୍ରମୁଖ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜଳ ନିଷ୍କାସନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।  ଅପରପକ୍ଷରେ ଗତ ‘ ଅର୍ଣ୍ଣବ ‘ ବାତ୍ୟା ଜନିତ  ବର୍ଷା କାରଣରୁ ବସଷ୍ଟାଣ୍ଡ ଠାରେ ସମାନ ସ୍ଥିତି ଉପୁଜିଥିଲା । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ଯବସ୍ଥା ମଧ୍ୟ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ନିମନ୍ତେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର କରାଯିବ ବୋଲିି ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ ବୃନ୍ଦ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବର୍ଷାପାଣି ନିଷ୍କାସନ ପାଇଁ  ବ୍ରିଜ ନିର୍ମାଣ କାର୍ଯ୍ୟ କେବେ ହେବ ଏବଂ ଏଠାକାର ଲୋକଙ୍କ ସମସ୍ୟା କେବେ ଦୂର ହେବ ବୋଲି ସେମାନେ  ପ୍ରଶ୍ନ କରୁଛନ୍ତି।  ଏନେଇ ତହସିଲଦାର ଙ୍କୁ ପଚାରିବାରୁ ସୁଦୃଢ଼ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସହର ଉପକଣ୍ଠ ଚାଙ୍ଗୁଡ଼ିଦେଇ ପର୍ବତ ରୁ ବର୍ଷା ପାଣି ସମେତ ପ୍ରାୟ ୫ ଶହ ଏକର ଜମିରୁ ଉଦବୃତ୍ତ ବର୍ଷାଜଳ ଓ ନାଳନର୍ଦ୍ଦମା ପାଣି ଏଠାରେ ଜମା ହେଉଛି। କିନ୍ତୁ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ସେ କହିଛନ୍ତି । ଏନେଇ ବୈଷୟିକ ଟିମ୍ ସହାୟତାରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ସେ ଜଣାଇଛନ୍ତି। ସହର ସଂଲଗ୍ନ ପ୍ରାକୃତିକ ଜଳଉତ୍ସ, ସରକାରୀ ପାଣି ନାଳ,ଗୋଚର, ଦଣ୍ଡା ରାସ୍ତା,ଶାଖା କେନାଲ ଗୁଡ଼ିକୁ କିଛି ଜମି ମାଫିଆ,ପ୍ଲଟ ବ୍ୟବସାୟୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ବାସଗୃହ,ବାଣିଜ୍ୟକ ପ୍ରତିଷ୍ଠାନ କରିଛନ୍ତି।ଫଳରେ ବସଷ୍ଟାଣ୍ଡ ଇଲାକାରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଜଳବନ୍ଦୀ ଭଳି ସ୍ଥିତି ସୃଷ୍ଟି ହେଉଥିବା ବସଷ୍ଟାଣ୍ଡ ବାସିନ୍ଦା ପରେଶ ଚନ୍ଦ୍ର ମୁଖାର୍ଜୀ, ସଂଗ୍ରାମ କେଶରୀ ରଥ, ଇ. ସିମାଦ୍ରୀ, ପ୍ରଭାକର ସାହୁ,ୟୁ.ଗୌରାଙ୍ଗ,ଏମ.ପଞ୍ଚାନନ,ଏ. ବଦ୍ରି ପାତ୍ର,ଦୀପ୍ତିକାନ୍ତ ମହାଙ୍କୁଡ ପ୍ରମୁଖ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ