ସମ୍ବିଧାନକୁ ନଷ୍ଟ ଲାଗି ଉଦ୍ୟମ ଚାଲିଛି

ନୂଆଦିଲ୍ଲୀ(ଏଜେନ୍ସି): ଏବେର କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଓ ଅଦୂରଦ୍ରଷ୍ଟିତାର ନୀତି ଓ କାର୍ଯ୍ୟକାରିତାର ପରିଣାମସ୍ୱରୁୂପ ଦେଶର ସମ୍ବିଧାନ ବିପଦ ମୁହଁକୁ ଠେଲି ହୋଇଯାଇଛି । ତେବେ ସମ୍ବିଧାନକୁ ଏପ୍ରକାର ନଷ୍ଟ ହେବାକୁ ଦିଆଯିବ ନାହିଁ । ସମ୍ବିଧାନର ରକ୍ଷା ପାଇଁ କଂଗ୍ରେସ ଆଜି ପର୍ଯ୍ୟନ୍ତ ଲଢ଼ିଆସିଛି, ଏବଂ ଆଗକୁ ମଧ୍ୟ ଏହି ଲଢ଼େଇ ଜାରି ରହିବ । ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିବା ପରେ ସର୍ବପ୍ରଥମେ ସମ୍ୱିଧାନର ମୂଳ ଭାବନାକୁ ଠିକ୍ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ୨ଠ୧୯ ନିର୍ବାଚନ ପ୍ରଚାରରୁ ଦୂରେଇ ରହିଥିବା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି କଂଗ୍ରେସର ଜନ ସରକାର ୨ଠ୧୯ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏପରି କହିଛନ୍ତି । ମୋଦି ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ସୋନିଆ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଦେଶର ସରକାରୀ ସଂସ୍ଥାଗୁଡିକର କ୍ଷମତାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।
ସୋନିଆଙ୍କ କହିବାନୁସାରେ ବର୍ତ୍ତମାନ ଦେଶଭକ୍ତିର ନୂଆ ପରିଭାଷା ଶିଖାଯାଉଛି ଏବଂ ବିଚାରଧାରା ଆଧାରରେ ନାଗରିକମାନଙ୍କ ମଧ୍ୟରେ ଭେଦଭାବ କରାଯାଉଛି । ବିବିଧତାକୁ ଗ୍ରହଣ କରୁଥିବା ଲୋକଙ୍କୁ ଦେଶଭକ୍ତ କୁହାଯାଉଛି ଏବଂ ଧର୍ମ ଏବଂ ବିଚାରଧାରାର ଆଧାରରେ ଦେଶବାସୀଙ୍କୁ ବିଭାଜନ କରାଯାଉଛି । ସରକାରଙ୍କ ନୀତିକୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷ ତଥା ରାଜନୈତିକ ଦଳ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରାଯାଉଛି । ଉଠୁଥିବା ବିରୋଧୀ ସ୍ୱରକୁ ଦେଶଦ୍ରୋହର ଆଖ୍ୟା ଦିଆଯାଉଛି ଏବଂ ନିଜର ସ୍ୱେଚ୍ଛାଚାରିତାକୁ ଦେଶଭକ୍ତିର ନାମକରକଣ କରାଯାଉଛି । ବର୍ତ୍ତମାନର ସରକାର ଅସହମତିର ସମ୍ମାନ କରିବାରେ ଆଦୌ ରାଜି ନୁହେଁ । ଏପରି ସ୍ଥିତିରେ ଦେଶର ଗଣତନ୍ତ୍ର, ସାର୍ବଭୌମତ୍ୱ ଏବଂ ସମ୍ବିଧାନକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ଦେଶବାସୀଙ୍କୁ ଏକଜୁଟ୍ ହେବାକୁ ପଡିବ । କିଛି ବର୍ଷ ପୂର୍ବେ ଏମିତି ଏକ ସମୟ ଆମ ସମସ୍ତଙ୍କ ସମ୍ମୁଖରେ ଆସି ଉପନୀତ ହେବ ତାହା କେହି କେବେ ଚିନ୍ତା ମଧ୍ୟ କରିନଥିଲୁ । କିନ୍ତୁ ସେ ସମୟ ଆସିଯାଇଛି । ଗତ କିଛି ସମୟ ଧରି ଦେଶର ମୂଳ ଆତ୍ମାକୁ ଏପରି ଏକ ଷଡଯନ୍ତ୍ର କରି ନଷ୍ଟ କରାଯାଉଛି ଯାହା ଆଜି ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି । ଦେଶର ଯେଉଁ ସ୍ୱୟଂକ୍ରିୟ ସଂସ୍ଥାଗୁଡିକ ଆଜି ଆମକୁ ଉପରକୁ ଉଠିବାରେ ସହଯୋଗ କରିଛନ୍ତି, ଆଜି ସେସବୁ ସଂସ୍ଥାଗୁଡିକର ଅଧିକାରକୁ ଶେଷ କରିଦିଆଯାଉଛି । ଏଦିଗରେ ଦେଶବାସୀ ଜାଗ୍ରତ ହେବାକୁ ସୋନିଆ ଏହି ଅବସରରେ ଆହ୍ୱାନ କରିବା ସହ ଏକ ସଶକ୍ତ ଓ ଅଖଣ୍ଡ ଭାରତ ଗଠନ ଦିଗରେ ଏକଜୁଟ୍ ହୋଇ କଂଗ୍ରେସକୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ