ସ୍ଵାସ୍ଥ୍ୟ ମିଶନ ସମନ୍ଵୟ ବୈଠକ ଅନୁଷ୍ଠିତ

କଟକ,(ଓ୍ବାଇଏନଏସ): କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ଆଜି ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ଵାସ୍ଥ୍ୟ ମିଶନ ସମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମର ମେୟର, ଶ୍ରୀ ସୁବାସ ଚନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶେଷକରି ସହରାଞ୍ଚଳରେ ଡେଙ୍ଗୁ ନିରାକରଣ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସହରରେ ଡେଙ୍ଗୁ ରୋଗ ନିୟନ୍ତ୍ରଣ କରାଯିବା ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ବିଶେଷ ଗୁରୁତ୍ଵ ଦେବା ସହ ଜନ ସଚେତନତା ଓ ସତର୍କତା ଅବଲମ୍ବନ ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଇବା ଏବଂ ଅଳିଆ ଉଠା ଗାଡି ଯୋଗେ ମାଇକିଂ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସମସ୍ତ ୱାର୍ଡରେ ସ୍ଵାସ୍ଥ୍ୟକର୍ମୀ, ଅଙ୍ଗନୱାଡି, ସ୍ଵେଚ୍ଛାସାଥୀମାନେ ଲିଫଲେଟ ସହ ଘରକୁ ଘର ବୁଲି ସାଧାରଣ ଲୋକଙ୍କୁ ସଚେତନ କରାଇବେ । ଆଗାମୀ ଦିନରେ ସପ୍ତାହକୁ ଥରେ ଡ୍ରାଏ-ଡେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଡେଙ୍ଗୁ ସମ୍ବନ୍ଧୀୟ ସଚେତନତା କରାଯିବା ନେଇ ସ୍ଵାସ୍ଥ୍ୟ ଏବଂ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ELISA ମେସିନ ଓ ପରୀକ୍ଷା କିଟ୍ ଗୁଡିକ ପ୍ରସ୍ତୁତ ଅଛି । ଏସସିବି ମେଡିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ବ୍ୟବସ୍ଥା କରାଯାଇଥିବା ବେଳେ ଫଗିଂ ମେସିନ୍‌, ଓ ମଶା ନିୟନ୍ତ୍ରଣ ଔଷଧ ପ୍ରଚୁର ପରିମାଣରେ ଉପଲବ୍ଧ ଥିବା ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଥିଲେ । ଏଥିସହ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଓଆରଏସ,ଆଇଭି ଫ୍ଲୂଇଡ ମହଜୁଦ ରଖିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଘରୋଇ ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ରକ୍ତ ନମୁନା ପରୀକ୍ଷା କରାଯିବା ପାଇଁ ବାରଣ କରିବା ସହ କେବଳ ନିର୍ଦ୍ଧିଷ୍ଟ ସରକାରୀ ଚିକିତ୍ସା କେନ୍ଦ୍ର ରେ ପରୀକ୍ଷା କରାଯିବା ନେଇ ଡା.ମହାପାତ୍ର କହିଥିଲେ । ଆଜିର ବୈଠକରେ ଡେପୁଟି ମେୟର ଦମୟନ୍ତୀ ମାଝି, ଅତିରିକ୍ତ କମିଶନର କଳ୍ପତରୁ ବେହେରା ,ଷ୍ଟାଣ୍ଡିଂ କମିଟି ଅଧକ୍ଷ୍ୟା ଦିପ୍ତିମୟୀ ମୂଳିଆଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପରିଚାଳକ , ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଉପସ୍ଥିତ ରହି ସହରାଞ୍ଚଳରେ ସ୍ଵାସ୍ଥ୍ୟ ସେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଏବଂ କାର୍ଯ୍ୟନିର୍ବାହ ଖସଡ଼ା ପ୍ରସ୍ତୁତି ସମ୍ବନ୍ଧରେ ମତାମତ ରଖିଥିଲେ । ଏଠାରେ ସୂଚନାଯୋଗ୍ୟ , ପୂର୍ବ ବର୍ଷ କଟକ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୧୧ ଥିବା ବେଳେ ଏବର୍ଷ ଅଦ୍ୟାବଧି ୧୪ ଜଣ ରୋଗୀ ଚିହ୍ନଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ