ଆନ୍ଧ୍ର ମୁଖ୍ୟ ଶାସନ ସଚିବ ପଶ୍ଚିମବଙ୍ଗର ୨ ପୁଲିସ୍ କମିଶନରଙ୍କୁ ହଟାଇଲେ ନିର୍ବାଚନ ଆୟୋଗ

କୋଲକାତା/ ଅମରାବତୀ (ଏଜେନ୍ସି): ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଅନୀଲ ଚନ୍ଦ୍ର ପୁନେଥା ଏବଂ ପଶ୍ଚିମବଙ୍ଗର ଦୁଇ ପୁଲିସ୍ କମିଶନର (କୋଲକାତା ପୁଲିସ କମିଶନର ଅନୁଜ ଶର୍ମା ଏବଂ ବିଧାନନଗର ପୁଲିସ କମିଶନର ଜ୍ଞାନୱନ୍ତ ସିଂହ)ଙ୍କୁ ଆଜି ବଦଳି କରାଯାଇଛି । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଏପରି କରାଯାଇଥିବା ସୂଚନା ମିଳିଛି । ଶୁକବ୍ରାର ବିଳମ୍ବିତ ରାତିରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହଠାତ୍ ଏହି ଦୁଇ ପ୍ରଦେଶର ରାଜ୍ୟ ସରକାରଙ୍କୁ ଏପ୍ରିଲ ୬ ତାରିଖ ସକାଳ ୧୧ଟା ସୁଦ୍ଧା ଆଦେଶ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଦୁଇ ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ ଏହି ଅଧିକାରୀଙ୍କୁ ଆଜି ସେମାନଙ୍କ ପଦ ଓ ଦାୟିତ୍ୱରୁ ହଟାଇବାକୁ ବାଧ୍ୟ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ରାଜନୈତିକ ପକ୍ଷପାତିତା କରୁଥିବା ଅଭିଯୋଗ ଆସିଥିବା ବେଳେ ପ.ବଙ୍ଗର ଦୁଇ ପୁଲିସ୍ କମିଶନରଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ସମର୍ଥନରେ ଭୋଟ୍ ଦେବାକୁ ଭୋଟରଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ତେବେ ରିପୋର୍ଟ ଲେଖା ହେବା ବେଳକୁ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ପୁନେଥାଙ୍କ ସ୍ଥାନରେ ୧୯୮୩ ମସିହା ବ୍ୟାଚର ଆଇଏଏସ ଅଧିକାରୀ ଏଲ.ବି. ସୁବ୍ରମଣ୍ୟମଙ୍କୁ ଏବଂ ପ.ବଙ୍ଗରେ ଅନୁଜଙ୍କ ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଡିଜି ଡ. ରାଜେଶ କୁମାରଙ୍କୁ କୋଲକାତା ପୁଲିସ କମିଶନର ଏବଂ ଏଡିଜି ନଟରାଜନ୍ ରମେଶ ବାବୁଙ୍କୁ ବିଧାନନଗର ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଚିଠି ମାଧ୍ୟମରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଇଛନ୍ତି । ଏତଦ୍ବ୍ୟତୀତ ରାଜ୍ୟର ଅନ୍ୟ ଦୁଇ ପୁଲିସ ଅଧିକାରୀ ଯଥା ଆଭାନୁ ରବୀନ୍ଦ୍ରନାଥଙ୍କୁ ବୀରଭୂମୀର ନୂଆ ଏସ୍ପି ଏବଂ କେଏପି ଶ୍ରୀହରି ପାଣ୍ଡେଙ୍କୁ ଡାଏମଣ୍ଡ ହାର୍ବର ଏସ୍ପି ଭାବେ ନିଯୁକ୍ତ କରାଯାଇଥିବା ଚିଠିରେ ଦର୍ଶାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଏ ସମ୍ପର୍କିତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବାକୁ ମୁଖ୍ୟ ଶାସନ ସଚିବକୁ କୁହାଯାଇଥିଲା । ସେହିପରି ଯେଉଁ ଅଧିକାରୀଙ୍କୁ ବଦଳି କରାଯାଇଛି ସେମାନଙ୍କୁ କୌଣସି ନିର୍ବାଚନୀ କାର୍ଯ୍ୟରେ ନିୟୋଜିନ ନକରିବାକୁ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ପ.ବଙ୍ଗର ଯେଉଁ ୪ ପୁଲିସ୍ ଅଧିକାରୀଙ୍କୁ ଆଜି ବଦଳି କରାଯାଇଛି ସେମାନେ ସମସ୍ତେ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଏବଂ ଘନିଷ୍ଠ ବୋଲି ସୂଚନା ମିଳିଛି । ସିବିଆଇ ବିରୋଧରେ ଧାରଣା ସମୟରେ ଅନୁଜ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଦେଖିବାକୁ ମିଳିଥିଲା । ସେହିପରି ରାଜ୍ୟ ମୁଖ୍ୟ ଶାସନ ସଚିବ ପୁନେଥାଙ୍କୁ ଏପ୍ରକାର ବଦଳି କରାଯିବାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୨୫ଲୋକସଭା ଆସନ ପାଇଁ ଏବଂ ୧୭୫ ବିଧାନସଭା ଆସନ ପାଇଁ ସମକାଳୀନ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ୧୧ରେ ଏଠାରେ ଭୋଟ୍ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ