ମାନସିକ ବିକଳାଙ୍ଗ ପିଲାଙ୍କ ଗହଣରେ ନୂତନ ବର୍ଷ ପାଳିଲା ଫ୍ୟୁଚର ଓଡ଼ିଶା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ କିଏ ହୋଟେଲରେ ପାର୍ଟି କରୁଛି ତ କିଏ ଜିରୋ ନାଇଟ୍ ମଜା ନେଉଛି ତ ଆଉ କେହି କେହି ପାର୍କ, ସପିଂ ମଲ୍ ଓ ପର୍ଯ୍ୟଟନସ୍ଥଳୀ ବୁଲି ମଜା ନେଉଛନ୍ତି ତ କେହି କେହି ଭୋଜିଭାତ ଓ ନାଚଗୀତରେ ମସ୍ଗୁଲ ହୋଇଛନ୍ତି । କିନ୍ତୁ ଫ୍ୟୁଚର ଓଡ଼ିଶା ନିଆରା ଢଙ୍ଗରେ ପାଳନ କରିଛି ନୂତନ ବର୍ଷ । ସମାଜରେ ଅବହେଳିତ ହୋଇ ପଡ଼ି ରହିଥିବା ଏହି ପିଲାମାନଙ୍କୁ ଆପଣାଇବା ପାଇଁ ଫ୍ୟୁଚର ଓଡ଼ିଶା ନେଇଛି ଏକ ଅଭିନବ ପଦକ୍ଷେପ । ଚେତନା ମାନସିିକ ଅନଗ୍ରସର ଓ ଦିବ୍ୟାଙ୍ଗ ବିଦ୍ୟାଳ ପରିସରରେ ଥିବା ବିକଳାଙ୍ଗ ପିଲାମାନ ଦ୍ୱାରା କେକ୍ କଟାଯାଇ ଉତ୍ସବ ଆରମ୍ଭ ହୋଇଥିଲା । ଏହାପରେ ବିଭିନ୍ନ ନାଚ ଗୀତର ତାଳେ ତାଳେ ପିଲାମାନେ ନାଚିଥିଲେ । ପିଲାମାନଙ୍କ ମନ କିଣିଲା ଭଳି ଚକୋଲେଟ୍, ବିସ୍କୁଟ ଇତ୍ୟାଦି ବଣ୍ଟନ କରାଯାଇଥିଲା ।ଫ୍ୟୁଚର ଓଡ଼ିଶାର ସଂଯୋଜକ ଅଂଶୁମାନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜର୍ମାନୀର ପୂର୍ବତନ ସାଂସଦ ଟିଲ୍ ଜାଇଲର, ଚେତନା ନିର୍ଦ୍ଦେଶକ ଡଃ ନାରାୟଣ ଚନ୍ଦ୍ର ପତି, ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ ଏବଂ ରାଜ୍ୟ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗଦେଇ ବିକଳାଙ୍ଗ ପିଲାମାନଙ୍କ ଗହଣରେ ନୂତନ ବର୍ଷ ପାଳନ କରିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭିନ୍ନ ସାମାଜିକ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଯୁବକ ଯୁବତୀ ଏବଂ ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବାପି ନାୟକ, ସାଗର ପ୍ରଧାନ, ସୁନିଲ କୁମାର ସାହୁ, ମିତାଲି ମଧୁମିତା ସାହୁ, ରୁପାଲି ଦଳେଇ, ରତିକାନ୍ତ ପାତ୍ର, ଶୁଭାଶିଷ ରାଉତ ପ୍ରମୁଖ ସହଯୋଗ କରିଥିଲେ ।


