ଅଦିନିଆ ବର୍ଷାରେ ପାଚିଲା ଧାନ ପ୍ରଭାବିତ

ବନ୍ତ,(ଯୁଗାବ୍ଦନ୍ୟୁଜ) : ଗତ ଶୁକ୍ରବାର ଠାରୁ ଅଦିନିଆ ବର୍ଷା ଆରମ୍ଭ ହେବା ଫଳରେ ବନ୍ତ ବ୍ଲକର ପାଚିଲା ଧାନ ପ୍ରଭାବିତ ହେବା ସହ ଅମଳ ଧାନ ଗଜା ହେବା ଆଶଙ୍କା ପ୍ରକାଶ ପାଇଛି । ପ୍ରକାଶ ଯେ, ଗତ ନଭେମ୍ବର ମାସରେ ବୁଲବୁଲ୍ ବାତ୍ୟା ଧାନ ଫସଲକୁ ପ୍ରଭାବିତ କରିଥିବା ବେଳେ ଶହ ଶହ ଏକର ଚାଷ ଜମିର ଧାନ ନଷ୍ଟ ହୋଇଥିଲା । ଏହାକୁ ନେଇ ଚାଷୀ ମାନେ ଚିନ୍ତାରେ ଥିବା ବେଳେ ଧାନ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଂଗି ଦେଇଛି । ଗତ ଶୁକ୍ରବାର ସକାଳ ଠାରୁ ସମଗ୍ର ବ୍ଲକରେ ଝିପ୍ଝିପ୍ ବର୍ଷା ଆରମ୍ଭ ହେବା ସହ ପୂର୍ବାହ୍ନ ଠାରୁ ବର୍ଷାର ମାତ୍ରା ବୃଦ୍ଧି ପାଇଥିଲା । ବର୍ଷା ଦାଉରୁ ପାଚିଲା ଧାନକୁ ରକ୍ଷା କରିବା ନିମନ୍ତେ ଚାଷୀ ମାନେ ତରବରିଆ ଭାବେ କଟା ଧାନକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇପାରିନଥିଲା । କାରଣ ଶହ ଶହ ଏକର ଜମିର ଧାନକୁ କାଟିବା ସେମାନଙ୍କ ପକ୍ଷରେ ସମ୍ଭବପର ନଥିଲା । ଫଳରେ ଚାଷ ଜମିରେ କଟା ଯାଇଥିବା ଧାନ ନଷ୍ଟ ହେବା ସହ ଖଳାକୁ ଆଣି ଥିବା ଧାନ ମଧ୍ୟ ବର୍ଷାରେ ଭିଜି ଥିବାର ଦେଖାଯାଇଥିଲା । ଜମିରେ କଟା ଯାଇନଥିବା ଧାନକୁ ଏବେ ଆଉ କଟା ଯାଇ ପାରିବ ନାହିଁ ବୋଲି ଚାଷୀ ମାନେ କହିଛନ୍ତି । କାରଣ ବୁଲ୍ବୁଲ୍ ବାତ୍ୟାରେ ଧାନ ଗଛ ସବୁ ଶୋଇ ଯାଇଥିବା ବେଳେ ଏବେ ବର୍ଷା ଫଳରେ ତାହା ମାଟିରେ ଲାଗି ଯାଇଛି । ତେବେ ଚାଷୀଙ୍କର ବର୍ଷକର ଖୋରାକ୍ ନିଜ ଆଖି ସାମନାରୁ ଚାଲି ଯାଉଥିବା ଦେଖି ସେମାନେ ବ୍ୟଥିତ ହୋଇପଡିଛନ୍ତି । ସେହିପରି ବହୁ ଚାଷୀ ଅମଳ ଧାନକୁ ମଣ୍ଡିରେ ପକାଇ ଥିବା ବେଳେ ସୁରକ୍ଷିତ ବ୍ୟବସ୍ଥା ନଥିବାରୁ ତାହା ବର୍ଷାରେ ଭିଜୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ