ବିଭିନ୍ନ ସମସ୍ୟା ନେଇ ରାଘପୁର ଗ୍ରାମବାସୀ ଭେଟିଲେ ଜିଲ୍ଲାପାଳଙ୍କୁ
କେନ୍ଦ୍ରାପଡା – ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଂଚାୟତର ରାଘପୁର ଗ୍ରାମର ଅଧିବାସୀମାନେ ସୋମବାର ଜିଲ୍ଲା ସଦରମହକୁମାରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ଯୋଗାଇ ଦେବା,ରାଘପୁର ଦଳିତ ବସ୍ତିରେ ଘରପୋଡି ବିପନ୍ନ ପରିବାରଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ଯୋଗାଇଦେବା,ରାଘପୁର ଗ୍ରାମର ୪ଟି ୱାର୍ଡକୁ ପାନୀୟ ଜଳ ଯୋଗାଣ ଯୋଜନାରେ ସାମିଲ କରାଯିବା,ରାସନକାର୍ଡ କାଟିଦିଆଯାଇଥିବା ଗରୀବ ଦଳିତ ହିତାଧିକାରୀଙ୍କୁ ପୁନଃ ରାସନକାର୍ଡ ପ୍ରଦାନ କରାଯିବା ଓ ରାସନକାର୍ଡ ଥାଇ କିରୋସିନ ପାଉନଥିବା ହିତାଧିକାରୀଙ୍କୁ କିରୋସିନ ଯୋଗାଇ ଦେବା ପ୍ରଭୃତି ରହିଛି । ଏଥିସହିତ ସେମାନେ ଗ୍ରାମିଣ ଆବାସ ଯୋଜନାରୁ ବଂଚିତ ହୋଇଥିବା ୧୦୨ ଜଣ ଗରୀବ ଦଳିତ ହିତାଧିକାରୀଙ୍କର ଏକ ନାମତାଲିକା ମଧ୍ୟ ଦରଖାସ୍ତ ସହିତ ଦେଇଛନ୍ତି । ଅଭିଯୋଗକାରୀମାନେ ପୂର୍ବରୁ ଗତ ୨୦୧୯ମସିହା ଡିସେମ୍ବରମାସ ୧୯ତାରିଖରେ ଏହିସବୁ ସମସ୍ୟାକୁ ନେଇ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ମଧ୍ୟ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଡାମରପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ସେଠୀ, ଉଦୟଶଙ୍କର ଦାସ, ରଞ୍ଜନ ମଳିକ, ଖଗେଶ୍ୱର ମଲ୍ଲିକ, କୁଳମଣୀ ମଳିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।