ଫଳ କହିଥାଏ ମଣିଷର ସ୍ୱଭାବ
ଫଳ ଆମକୁ କେବଳ ସୁସ୍ଥ ସବଳ ଓ ଶକ୍ତିଶାଳୀ କରିଥାଏ ତାହା ନୁହେଁ। ଆମ ସ୍ୱଭାବକୁ ମଧ୍ୟ ପ୍ରଭାବିତ କରିଥାଏ । ଅଧିକାଂଶ ବ୍ୟକ୍ତିଙ୍କ ପ୍ରଥମ ପସନ୍ଦ ଫଳ ସେଓ, କଦଳୀ, କମଳା, ଅଙ୍ଗୁର । ଫଳ ପ୍ରତି ରୁଚିରୁ ବ୍ୟକ୍ତିର ବ୍ୟକ୍ତିତ୍ୱ, ବିଚାର, ସ୍ୱଭାବ ଜଣାପଡ଼େ । ଯେଉଁ ବ୍ୟକ୍ତିର ପ୍ରଥମ ପସନ୍ଦ ଫଳ କମଳା ସେହି ବ୍ୟକ୍ତିର ସ୍ୱଭାବ କିଛି ଖଟା ମିଠା ହୋଇଥାଏ । କମଳା ପସନ୍ଦ କରୁଥିବା ବ୍ୟକ୍ତି ସର୍ବଦା ହର୍ଷୋଲ୍ଲାସରେ ରହିବା ସହ ବିଶ୍ୱାସର ପାତ୍ର ହୋଇଥାନ୍ତି । ଅତିଶୀଘ୍ର ମିତ୍ରତା ସ୍ଥାପନା କରିବା, ଅନ୍ୟର ବିଚାରରେ ପ୍ରଭାବିତ ହେବା ସହ କେବେ କେବେ ସେ ଧୋକ୍କା ମଧ୍ୟ ଖାଇଥାଏ । ସେମାନେ ଉଦାରବାଦୀ ଓ କର୍ମଠ ହୋଇଥାନ୍ତି । ସେହିପରି କଦଳୀ ପସନ୍ଦ କରୁଥିବା ବ୍ୟକ୍ତି ସର୍ବଦା ନରମ ଏବଂ କୋମଳ ସ୍ୱଭାବର । ସେମାନେ ଉପରେ ଅଧିକ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଅନ୍ତରରେ କୋମଳ ହୋଇଥାନ୍ତି । ଶାନ୍ତିପୂର୍ବକ ଭାବେ କାର୍ଯ୍ୟ କରିବା, ଭାବଭଙ୍ଗୀରେ ଗାମ୍ଭୀର୍ଯ୍ୟ ପ୍ରକାଶ କରିବା, ଧୈର୍ଯ୍ୟର ସହ କାର୍ଯ୍ୟ ପୂରଣ କରିବା ଉପରେ ଏମାନେ ବିଶ୍ୱାସ କରନ୍ତି । ସେମାନେ ଅନ୍ୟମାନଙ୍କୁ ଖୁସିରେ ରଖିଥାନ୍ତି । ଯେଉଁ ଲୋକଙ୍କ ପସନ୍ଦ ସେଓ ସେମାନେ ଅତି ଚଞ୍ଚଳ ସ୍ୱଭାବର ହୋଇଥାଆନ୍ତି । ଏମାନଙ୍କ ପ୍ରଭାବ ସମାଜରେ ଖୁବ୍ ରହିଥାଏ । ଏମାନେ ସୁସ୍ଥ ରହିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ନିର୍ଣ୍ଣୟ ନେବାରେ କ୍ଷିପ୍ର । ଏମାନଙ୍କ ଦୃଷ୍ଟିଶକ୍ତି ଅତି ପ୍ରଖର । ଏମାନଙ୍କ କାର୍ଯ୍ୟ କରିବାର ଦକ୍ଷତା ଅଧିକ । ଏମାନେ ବନ୍ଧୁପ୍ରେମୀ । ଅଙ୍ଗୁର ପସନ୍ଦ କରୁଥିବା ବ୍ୟକ୍ତି ଆଳସ୍ୟପରାୟଣ ହୋଇଥାଆନ୍ତି । କାର୍ଯ୍ୟଭାର ଏହି ବ୍ୟକ୍ତିଙ୍କ ଉପରେ ପଡ଼ିଲେ ଏମାନଙ୍କଠାରେ କ୍ରୋଧ ଦେଖାଦେଇଥାଏ । ଏମାନେ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହେବା ସହ ଅନ୍ୟକୁ ନିଜ ପ୍ରତି ଆକର୍ଷଣ କରିବାରେ ମାହିର । ଯେଉଁ ଲୋକଙ୍କ ପସନ୍ଦ ନଡ଼ିଆ ସେମାନେ କଳ୍ପନାଶୀଳ, ସତର୍କ, ଚତୁର ହୋଇଥାନ୍ତି । ଏମାନେ ଜିଦଖୋର ଅଟନ୍ତି । ନଡିଆ ପସନ୍ଦ କରୁଥିବା ବ୍ୟକ୍ତି ପ୍ରେମୀ ସ୍ୱଭାବର । ନିଜର ବୃଦ୍ଧି ଓ ପରିଶ୍ରମ ବଳରେ ସଫଳତା ପାଇଥାନ୍ତି ।


