ଭାରତ ବନ୍ଦ ପାଇଁ ଘଞ୍ଚିଲା ପରୀକ୍ଷା
ଭୁବନେଶ୍ବର- ଜାନୁଆରି ୮ ତାରିଖ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ହେତୁ ଉତ୍କଳ ବିଶ୍ବବିଦ୍ୟାଳୟ ତାର ସମସ୍ତ ପରୀକ୍ଷା ଘୁଞ୍ଚାଇ ଦେଇଛି । ଏ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଭାରତ ବନ୍ଦକୁ ଆଖିରେ ରଖି ଜାନୁଆରି ୮ରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ୍ ହୋଇଛି। ତେବେ, ବାତିଲ୍ ହୋଇଥିବା ପରୀକ୍ଷା ପୁଣି କେଉଁ ତାରିଖରେ ହେବ ସେ ସଂପର୍କରେ ପରେ ତାରିଖ ଘୋଷଣା କରାଯିବ । ଏଆଇଟିୟୁସି ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର କହିଛନ୍ତି, ୮ ତାରିଖ ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଯିବା ପାଇଁ ଅସୁବିଧା ହେବ। ଏଥିପାଇଁ ସେହିଦିନଟିକୁ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅନୁରୋଧ କରିଛନ୍ତି। ଏନ୍ଡିଏ ସରକାରଙ୍କ ‘ଦମନକାରୀ ନୀତି’ ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି ।


