ଦଳ ଛାଡିଲେ ଅଳ୍ପେଶ ଠାକୁର
ଚାଲିଛି ଲୋକସଭା ନିର୍ବାଚନ କିନ୍ତୁ କଂଗ୍ରେସକୁ ବହୁତ ବଡ ଝଟକା ଲାଗିଛି । ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ଅଳ୍ପେଶ ଠାକୁରଙ୍କ ସମେତ ଠାକୁର ସମୁଦାୟର ୨ ଜଣ ବିଧାୟକ କଂଗ୍ରେସ ଛାଡିଛନ୍ତି । ଅନ୍ୟ ଦୁଇଜଣ ବିଧାୟକ ହେଉଛନ୍ତି ଧବଳ ସିଂହ ଠାକୁର ଓ ଭରତ ଜୀ ଠାକୁର । ଏହି ତିନିଜଣ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି ।
ଗତ ମାସରେ ଏହି ତିନିଜଣ ବିଧାୟକ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଭେଟ କରି ଚର୍ଚ୍ଚାକୁ ବଢେଇ ଦେଇଥିଲେ । ଏହି ସାକ୍ଷାତକୁ ଅଳ୍ପେଶ ଔପଚାରିକ ଭେଟ ବୋଲି କହିଥିଲେ, ଏହାପରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟ କରିଥିଲେ । ଏହାପରେ ସବୁକିଛି ଠିକ ଅଛି ବୋଲି ଅଳ୍ପେଶ କହିଥିଲେ ।
ଅଳ୍ପେଶ ଠାକୁର ପାଟଣା ଲୋକସଭା ସିଟରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ । ପାର୍ଟି ତାଙ୍କ କଥା ରଖିନଥିଲା । କଂଗ୍ରେସ ତାଙ୍କୁ ଟିକେଟ ଦେବା ବଦଳରେ ପୂର୍ବତନ ସାଂସଦ ଜଗଦୀଶ ଠାକୁରଙ୍କୁ ଟିକେଟ୍ ଦେଇଦେଇଥିଲା । ଏହି ଭିତରେ ଏକ ଅନ୍ୟ ଘଟଣା ଅସନ୍ତୋଷକୁ ଅଧିକ ବଢାଇଥିଲା । ସାବରକାଣ୍ଠା ଲୋକସଭା ସିଟରେ ଠାକୁର ସେନା ସଂଗଠନର ଜଣକୁ କଂଗ୍ରେସ ଟିକେଟ ଦେବାର ଥିଲା, କିନ୍ତୁ କଂଗ୍ରେସ ଏହାକୁ ମଧ୍ୟ ଟାଳି ଦେଲା । ଏହା ପରେ ଠାକୁର ସେନା କଂଗ୍ରେସକୁ ହିଁ ଛାଡିବାକୁ ନିଷ୍ପତ୍ତି ନେଇଥିଲା ।


