ବୟଫ୍ରେଣ୍ଡ ଏଭଳି ଦାବି କରୁଥିଲେ ତୁରନ୍ତ କାଟନ୍ତୁ ସମ୍ପର୍କ
ଯେତେବେଳେ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୁଏ, ସେମାନଙ୍କ ମଧ୍ୟରେ ପରସ୍ପରକୁ ନେଇ ଆଶା ଓ ଆକାଂକ୍ଷା ମଧ୍ୟ ବଢ଼ିଥାଏ। ପ୍ରେମ ନାମରେ ପାର୍ଟନର ଝିଅ ପାଖରେ ଅନେକ ଦାବି ମଧ୍ୟ କରିବାରେ ଲାଗନ୍ତି। କେତେକ ଦାବି ପୂରଣ କରାଯାଇପାରିବ, ତେବେ ଏମିତି କେତକ ଦାବି ରହିଛି ଯାହାକୁ ପୂରଣ କରିବା ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ିପାରେ। ଝିଅମାନେ ପ୍ରେମକୁ ନେଇ ବହୁତ ମାତ୍ରାରେ ସିରିଅସ ହୋଇ ଯାଆନ୍ତି। ତେଣୁ ସେମାନେ ପ୍ରେମିକଙ୍କ ସମସ୍ତ ଦାବି ପୂରଣ କରିବାକୁ ଚେଷ୍ଟା କରିଥାନ୍ତି। କାରଣ ସେମାନେ ଡରନ୍ତି, କୌଣସି କାରଣ ପାଇଁ ବୟଫ୍ରେଣ୍ଡ ତାଙ୍କ ଉପରେ ନ ରାଗନ୍ତୁ। ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏମିତି ନ ହେଉ ବୟଫ୍ରେଣ୍ଡଙ୍କ ଦାବି ପୂରଣ କରୁ କରୁ ଆପଣ ନିଜତ୍ବ ହରାଇ ବସିବେ ଏବଂ ତାଙ୍କ ଇଚ୍ଛା ବଢ଼ିବାରେ ଲାଗିବ। ଚାଲନ୍ତୁ ଜାଣିବା ବୟଫ୍ରେଣ୍ଡଙ୍କ ସେହି ସବୁ ଦାବି ସମ୍ପର୍କରେ।
ଶାରୀରିକ ସମ୍ପର୍କ
ପ୍ରଥମରୁ ଧ୍ୟାନରେ ରଖନ୍ତୁ ପ୍ରେମ ସହିତ ଶାରୀରିକ ସମ୍ପର୍କର କୌଣସି ସମ୍ପର୍କ ନାହିଁ। ଯଦି ଆପଣ କାହାରି ପ୍ରେମରେ ପଡ଼ିଛନ୍ତି, ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ, ଏହା ଜରୁରୀ ନୁହେଁ। ଯଦି ଆପଣଙ୍କ ପ୍ରେମିକ ପ୍ରେମର ବାହାନା କରି ଶାରୀରିକ ସମ୍ପର୍କ ରଖିବାକୁ ପ୍ରୋତ୍ସାହିତ କରୁଛନ୍ତି ତେବେ ଜାଣି ନିଅନ୍ତୁ ସେ ଆପଣଙ୍କୁ ପ୍ରେମ କରୁ ନାହାନ୍ତି। ତାଙ୍କଠାରୁ ଦୂରେଇ ରହିବା ଉତ୍ତମ ନିଷ୍ପତ୍ତି।
ପରିବାରର ଦ୍ବାହି
ମନେରଖନ୍ତୁ ଦୁନିଆରେ କେହି ବି ଆପଣଙ୍କ ପରିବାର ଲୋକଙ୍କ ସ୍ଥାନ ନେଇପାରିବେ ନାହିଁ। ସିଏ ଆପଣଙ୍କ ବୟଫ୍ରେଣ୍ଡ ହୋଇଥାଆନ୍ତୁ ନା କାହିଁକି! ଯଦି ଆପଣଙ୍କ ବୟଫ୍ରେଣ୍ଡ କିମ୍ବା ପତି ଆପଣଙ୍କ ପରିବାର ବଦଳରେ ତାଙ୍କୁ ଗୁରୁତ୍ବ ଦେବାକୁ କହୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ ଯେ ସବୁ ସମ୍ପର୍କର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଓ ଗୁରୁତ୍ବ ରହିଛି। ଏହା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦରକାର। ଯଦି ଆପଣଙ୍କ ପାର୍ଟନର ଏହା ବୁଝି ପାରୁଛନ୍ତି, ତେବେ ଠିକ୍ ଅଛି। ନଚେତ୍ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।
ପାସୱାର୍ଡ ଏବଂ ବ୍ୟାଙ୍କ ଡିଟେଲ୍ସ
ପାର୍ଟନରଙ୍କ ଭିତରେ କୌଣସି କଥା ଲୁଚାଇ ରଖିବା ଦ୍ବାରା ଦୂରତ୍ବ ବଢ଼ିଥାଏ। ମାତ୍ର ଏହାର ଅର୍ଥ ନୁହେଁ ଯେ ବୟଫ୍ରେଣ୍ଡ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ସୋସାଲ ମିଡିଆ ସାଇଟ୍ର ପାସ୍ୱାର୍ଡ ଜାଣିବେ। ଏହି ସବୁ ଡିଟେଲ୍ସ କାହାରି ସହିତ ମଧ୍ୟ ଶେୟାର କରନ୍ତୁ ନାହିଁ।
ଆପଣଙ୍କୁ ବଦଳିବାକୁ କହୁଥିଲେ
ପ୍ରେମ ଆରମ୍ଭରୁ ଉଭୟେ ପ୍ରେମିକ ଓ ପ୍ରେମିକା ଯେମିତି ଦେଖାଯାଉଥିଲେ ସେହିପରି ଭାବେ ପରସ୍ପରକୁ ସ୍ବୀକାର କରିବା ଉଚିତ। ଯଦି ଆପଣଙ୍କ ପ୍ରେମିକ ଆପଣଙ୍କୁ ବଦଳିବାକୁ କହୁଛନ୍ତି, ତେବେ ଚିନ୍ତା କରନ୍ତୁ ଏହି ସମ୍ପର୍କକୁ ନେଇ ଆଗକୁ ବଢ଼ିବେ କି ନାହିଁ। ଯଦି ସେ କୌଣସି ଠିକ୍ କଥାରେ ବଦଳିବାକୁ କହୁଛନ୍ତି, ତେବେ ଠିକ୍ ଅଛି। ଯଦି ବୟଫ୍ରେଣ୍ଡଙ୍କୁ ସ୍ଲିମ୍ ଟ୍ରିମ୍ ଲୁକ୍ ପସନ୍ଦ ବୋଲି ଆପଣଙ୍କ ଓଜନ କମ୍ କରିବାକୁ ଚାହୁଛନ୍ତି ତେବେ ଏଭଳି ପ୍ରେମିକଙ୍କଠାରୁ ଦୂରେଇ ରହନ୍ତୁ।
ଯାହା ତୁମର ତାହା ମୋର କହୁଥିବା ପ୍ରେମିକ
ପ୍ରେମରେ ଥିବା ସମୟରେ ସାଧାରଣତଃ ଶୁଣିବାକୁ ମିଳେ ଯାହା ତୁମର ତାହା ମୋର, ଯାହା ମୋର ତାହା ତୁମର। ଏକଥା ସମସ୍ତେ ସ୍ବୀକାର କରନ୍ତି ଶେୟାରିଂ କରିବା ଦ୍ବାରା ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାତ୍ର ଏହାର ଅର୍ଥ ନୁହେଁ ଯେ ଆପଣ ଆପଣଙ୍କ ବୟଫ୍ରେଣ୍ଡଙ୍କ ଦାବି ପୂରଣ କରିବାକୁ ଯାଇ ସବୁ ବିଲ୍ ଜମା କରିଚାଲିଥିବେ ଏବଂ ସେ ଏଥିରୁ ବଞ୍ଚିବାକୁ ଚେଷ୍ଟା କରିଚାଲିଥିବେ। ଏମିତି ବୟଫ୍ରେଣ୍ଡଙ୍କଠାରୁ ଦୂରେଇ ରହନ୍ତୁ।
ବାହାଘର ପ୍ରଶ୍ନରେ ରାଗି ଯାଉଥିବା ପ୍ରେମିକ
ଯଦି ଆପଣ ଦୀର୍ଘ ଦିନ ହେଲାଣି ପ୍ରେମ ସମ୍ପର୍କରେ ରହିଛନ୍ତି, ବାହାଘର ପ୍ରଶ୍ନ ଉଠିବା ସ୍ବଭାବିକ। ଏହାକୁ ନେଇ ଝିଅମାନେ ନିଜ ବୟଫ୍ରେଣ୍ଡଙ୍କ ସହ ଅନେକ ଥର ଆଲୋଚନା ମଧ୍ୟ କରିଥାନ୍ତି। ମାତ୍ର ଅନେକ ସମୟରେ ବୟଫ୍ରେଣ୍ଡ ବାହାଘର ଭଳି ପଦକ୍ଷେପ ନେବାକୁ ସଙ୍କୋଚ କରିଥାନ୍ତି। ଏବେ ସେ ବାହାଘର ପାଇଁ ପ୍ରସ୍ତୁତ ନୁହନ୍ତି ବୋଲି ଯଦି ବାରମ୍ବାର ପ୍ରେମିକ କହୁଥାନ୍ତି, ତେବେ ଜାଣି ନିଅନ୍ତୁ ସେ ଟାଇମ୍ ପାସ୍ କରୁଛନ୍ତି।