ତାମିଲନାଡୁର ଭେଲୋର ଲୋକସଭା ନିର୍ବାଚନ ବାତିଲ
ନୂଆଦିଲ୍ଲୀ(ଏଜେନ୍ସି): ତାମିଲନାଡୁର ଭେଲୋର ଲୋକସଭା ସିଟ୍ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ବାତିଲ କରିଦିଆଯାଇଛି । ଏସମ୍ପର୍କରେ ନିର୍ବାଚନ କମିଶନ୍ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଡିଏମ୍କେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ କିଛିଦିନ ତଳେ କଥିତ ଭାବେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା । ଏକ ସିମେଣ୍ଟ ଗୋଦାମରୁ ଲକ୍ଷାଧିକ ଟଙ୍କା ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିଲା ବୋଲି ଜଣାପଡ଼ିଥିଲା । ଏହି ଟଙ୍କା ଜବତ ହେବାପରେ ବିପୁଳ ପରିମାଣର ଟଙ୍କା କାରବାର ହୋଇଥିବା ସନ୍ଦେହ କରି ଭେଲୋର ଲୋକସଭା ଆସନରେ ସମ୍ପ୍ରତି ନିର୍ବାଚନ ସ୍ଥଗିତ ରଖିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ । ଆଜି ବିଧିବଦ୍ଧ ଭାବେ ଏହି ଆସନରେ ମତଦାନ ପ୍ରକ୍ରିୟାକୁ ବାତିଲ କରାଯାଇଥିବା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି । ଅନ୍ୟପକ୍ଷେ ଏହି ଘଟଣାରେ ଜିଲ୍ଲା ପୁଲିସ୍ ଡିଏମ୍କେ ପ୍ରାର୍ଥୀ କାଥିର ଆନନ୍ଦ ଓ ପାର୍ଟିର ଦୁଇ ଅନ୍ୟ ପଦାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ମାମଲା ଆୟକର ବିଭାଗର ଏକ ରିପୋର୍ଟ ଆଧାରରେ ରୁଜୁ କରାଯାଇଥିଲା । ଆନନ୍ଦଙ୍କ ବିରୋଧରେ ଜନପ୍ରତିନିଧି ନିୟମ ଆଧାରରେ ମାମଲା ରୁଜୁ ହୋଇଥିବା ବେଳେ ସେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଭୁଲ ତଥ୍ୟ ଦେଇଥିବାରୁ ଏଭଳି ଅଭିଯୋଗ କରାଯାଇଥିଲା ।


