ଏସ୍ପିରେ ଯୋଗଦେଲେ ଶତୃଘ୍ନ ସିହ୍ନାଙ୍କ ପତ୍ନୀ
ଲକ୍ଷେ୍ନ(ଏଜେନ୍ସି): ଅଭିନେତାରୁ ରାଜନେତା ପାଲଟିଥିବା ଶତୃଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା ଆଜି ସମାଜବାଦୀ ପାର୍ଟି (ଏସ୍ପି)ରେ ଯୋଗଦେଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଉପସ୍ଥିତିରେ ପୁନମ୍ ସିହ୍ନା ଆଜି ଅପରାହ୍ଣରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ଘୋଷଣା କରିଛନ୍ତି । ଶତୃଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଚଳିତ ଲୋକସଭା ନିର୍ବାଚନରେ ତାଙ୍କୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନø ଲୋକସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି । ଏପରି ହେଲେ ତାଙ୍କ ଲଢ଼େଇ ସିଧାସଳଖ ବିଜେପିର ଦଳୀୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ହେବ । ଉଲ୍ଲେଖଯୋଗ୍ୟ, ଅଭିନେତାରୁ ରାଜନେତା ପାଲଟିଥିବା ଶତୃଘ୍ନ ସିହ୍ନା ବିଜେପିରୁ ଇସ୍ତଫା ଦେଇ କଂଗ୍ରେସ ଟିକଟରେ ଚଳିତ ଲୋକସଭା ନିର୍ବାଚନରେ ବିହାରର ପାଟନା ସାହେବ ଆସନରୁ ବିଜେପିର ତୁଙ୍ଗନେତା ରବିଶଙ୍କର ପ୍ରସାଦଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି ।


