ବାଲେଶ୍ୱରର ଅସ୍ପଷ୍ଟ ନର୍ବାଚନୀ ଚିତ୍ର

.କନ୍ସେପ୍ଟ ମାର୍କେଟିଂ ପ୍ରୟାସରେ ବିଜେଡି

.ବୁଥ୍ କମିଟିର ସଫଳତା ଭରସାରେ ଭାଜପା

.ରାହୁଳଙ୍କ ଗ୍ୟାରେଣ୍ଟି କାର୍ଡ଼ ଖୋଲୁଛି କଂଗ୍ରେସ

ବାଲେଶ୍ୱର,(ଯୁଗାବ୍ଦ ନୁୃ୍ୟଜ): ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ପ୍ରମୁଖ ରାଜନୈତିକ ଦଳମାନଙ୍କ ପକ୍ଷରୁ ବ୍ୟାପକ ପ୍ରଚାର କାର୍ଯ୍ୟ ଚାଲିଥିବା ବେଳେ କୌଣସି ନିର୍ଯ୍ୟାସରେ ପହଞ୍ଚି ପାରୁନାହାନ୍ତି ଭୋଟର । କେଉଁ ପ୍ରାର୍ଥୀଙ୍କୁ ଦେଲେ ଭୋଟ ତାଙ୍କର ନଷ୍ଟ ହେବନି କିମ୍ବା ପରେ ପଶ୍ଚାତାପ କରିବାକୁ ପଡ଼ିବ ନାହିଁ ସେନେଇ ଭୋଟର ପଡ଼ିଛନ୍ତି ଚିନ୍ତାରେ । ସମସ୍ତଙ୍କୁ ମୁଣ୍ଡ ଟୁଙ୍ଗାରି ହଁ ମାରୁଥିଲେ ବି ପ୍ରାର୍ଥୀ ଓ ଦଳୀୟ ଛାମୁଆଙ୍କ କଥାରେ ଭୁଲି ପୁଣି ୫ ବର୍ଷ ନଷ୍ଟ ନ କରିବା ପାଇଁ ସ୍ଥିର ମସ୍ତିସ୍କରେ ଚିନ୍ତା କରୁଛନ୍ତି ସମେସ୍ତ । ଅନ୍ୟପକ୍ଷରେ ବାଲେଶ୍ୱର ରାଜନୀତିର ଅସ୍ପଷ୍ଟ ଚିତ୍ର ସମ୍ପ୍ରତି ପ୍ରତ୍ୟେକ ଦଳର ପ୍ରାର୍ଥୀଙ୍କ ପାଇଁ ବଡ଼ ଚ୍ୟୋଲେଞ୍ଜ ହୋଇଛି । ୨୦୧୪ ମସିହାରେ ନିର୍ବାଚନରେ ବାଲେଶ୍ୱରରେ ମୋଟ ଭୋଟରଙ୍କ ସଂଖ୍ୟା ୧୫ ଲକ୍ଷ ୮୫ ହଜାର ୨୬୪ ଥିବା ବେଳେ ଚଳିତ ନିର୍ବାଚନରେ ୧୭ ଲକ୍ଷ ୯୮ ହଜାର ୬୩୫କୁ ବୃଦ୍ଧି ପାଇଛି । ବର୍ଦ୍ଧିତ ଭୋଟରଙ୍କ ସମେତ ଏଥର ଜନସମର୍ଥନ କେଉଁ ଦଳ ସପକ୍ଷରେ ଯିବ, ତାହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ବାଲେଶ୍ୱର ଜିଲ୍ଲାର ୮ ଗୋଟି ବିଧାନସଭା ଆସନ ମଧ୍ୟରୁ ଗତ ନିର୍ବାଚନରେ ୭ ଟିରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ଦାସ ଏକମାତ୍ର ବିଜେପି ପ୍ରାର୍ଥୀ ଭାବେ ସଂରକ୍ଷିତ ରେମୁଣା ଆସନରେ ଖାତା ଖୋଲିଥିଲେ । ମାତ୍ର ଚଳିତ ନିର୍ବାଚନରେ ଜିଲ୍ଲାର ସ୍ଥିତି ଅନେକାଂଶରେ ବଦଳିବା ନେଇ ସୂଚନା ଦେଲେଣି ସମୀକ୍ଷକମାନେ । ତୃଣମୂଳସ୍ତରରେ ଦଳର ସୁଦୃଢ଼ ସଂଗଠନ, ବିଗତ ୫ ବର୍ଷର ସଫଳତା ବା ବିଫଳତା ଓ ୨ ଲକ୍ଷରୁ ଊଦ୍ଧ୍ୱର୍ ନୂଆ ଭୋଟରଙ୍କ ନିଷ୍ପତି ଏଥର ନର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି । ତେବେ ଗତଥର ଭଳି ଚଳିତ ନିର୍ବାଚନରେ ଲୋକସଭା ସମେତ ଜିଲ୍ଲାର ଏକାଧିକ ବିଧାନସଭା ଆସନରେ ଅନୁରୂପ ତ୍ରୀକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଲକ୍ଷ୍ୟ କରାଯାଇଛି । ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡିର ସାଂଗଠନିକ ସ୍ଥିତି ତଥା ନିର୍ବାଚିତ ଲୋକପ୍ରତିନିଧିଙ୍କ ବିଗତ ଦିନର କାର୍ଯ୍ୟଧାରାକୁ ନେଇ ଭୋଟରମାନେ କିଛି କୂଳକିନାରା ପାଉନାହାନ୍ତି । ସବୁପ୍ରାର୍ଥୀ ଛିଡ଼ା କରାଉଛନ୍ତି ପ୍ରତିଶ୍ରୁତିର ପାହାଡ଼ । ‘କାହାକୁ କରିବେ ନିଜର ଓ କାହାକୁ କରିବେ ପର’ ଏହାକୁ ନେଇ ଭୋଟରଙ୍କ ମନରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।  ବିଜେଡି ଅତୀତର ୪ ପାଳିର ବିକାଶ ସାଙ୍ଗକୁ ଆଗାମୀ ଦିନର ସୁନେଲି ଚିତ୍ରର ‘କନ୍ସେପ୍ଟ’ ଉଭା କରୁଥିବା ବେଳେ ସଫଳ ବୁଥ୍ କମିଟି ଗଠନ ସହ ତୃଣମୂଳ ସ୍ତରୀୟ ସୁଦୃଢ଼ ସଂଗଠନ ଭରସାରେ ପ୍ରଚାର ଚଳାଇଛି ବିଜେପି । ଅନ୍ୟପକ୍ଷରେ ଭୋଟରଙ୍କୁ ରାହୁଲଙ୍କ ଗ୍ୟାରେଣ୍ଟି କାର୍ଡ଼ ରୀତିମତ ଦେଖାଇ ଚାଲିଛନ୍ତି କଂଗ୍ରେସ ପ୍ରାର୍ଥୀମାନେ । ତେବେ କ୍ଷମତାସୀନ ବିଜେଡି ସରକାରଙ୍କ ୧୯ ବର୍ଷର ଶାସନ କାଳରେ ପ୍ରଶାସନିକ ଅବହେଳା ଓ ସରକାରୀ ଅଧିକାରୀ-କର୍ମଚାରୀଙ୍କ ସ୍ୱେଚ୍ଛାଚାରିତା ନୀତି ଏହି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଛୋଟ ଛୋଟ କାର୍ଯ୍ୟ ପାଇଁ ବାରମ୍ବାର ଏ ଅଫିସରୁ ସେ ଅଫିସ ଦୌଡ଼ୁଥିବା ସାଧାରଣ ଲୋକଙ୍କ ନିମନ୍ତେ ସରକାରୀ ବାବୁଙ୍କ ଆଚରଣ-ଉଚ୍ଚାରଣ ଓ ଅବହେଳା ସହିବାର ସୀମା ପାର ହୋଇଛି । ଥାନାର ପୁଲିସ ବାବୁଙ୍କଠାରୁ ଆରମ୍ଭ କରି ତହସିଲର କିରାଣି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଲାଞ୍ଚ ଉକ୍ରୋଚ ଦେଇ ମଧ୍ୟ ଲୋକଙ୍କୁ ସମ୍ପ୍ରତି ଉଚିତ ସେବା ମିଳି ପାରୁନାହିଁ । ଉତ୍ସୃଙ୍ଖଳ ତଥା ଦୁର୍ନୀତିଖୋର ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରାରେ ଅଙ୍କୁଶ ଲଗାଇବା ବିଜେଡି ଜନପ୍ରତିନିଧିଙ୍କ କ୍ଷମତାର ବାହାରେ ବୋଲି ପ୍ରାୟ ସମସ୍ତେ ଅବଗତ । ଏକକ ନେତୃତ୍ୱ ଭାବେ ଦଳୀୟ ସୁପ୍ରିମୋଙ୍କ ଭୟରେ ବିଜେଡି ଲୋକପ୍ରତିନିଧିମାନେ ମଧ୍ୟ ସବୁ ଦେଖି ଚୁପ ରହିଆସୁଛନ୍ତି । ଅମଲାତାନ୍ତ୍ରିକ ସରକାରରେ ଦୈନନ୍ଦିନ ନାନା ସମସ୍ୟା ସାମ୍ନା କରି ଆସିଥିବା ସାଧାରଣ ଜନତା ଏବେ ଚିନ୍ତାରେ । ଅନୁକୂଳ ପରିବର୍ତ୍ତନ ହାୱାରେ ଭାସିଯିବେ କିମ୍ବା ସୁନେଲି ଚିତ୍ର ବିଶିଷ୍ଟ କନସେପ୍ଟ ମାର୍କେଟିଂ ବ୍ୟବସ୍ଥାରେ ଗ୍ରାହକ ହୋଇ କ୍ଷତି ସହିବେ, ତାହାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ‘ହାତୀ ଦେବି-ଘୋଡ଼ା ଦେବି’ ଭଳି ପ୍ରଚାର ଧାରାରେ ପ୍ରଭାବିତ ହୋଇ ୫ ବର୍ଷ ନଷ୍ଟ କରିବେ ବା ସାମାନ୍ୟ କିଛି ଅର୍ଥ ଲୋଭରେ ପଡ଼ି ଉପଯୁକ୍ତ ପ୍ରାର୍ଥୀଙ୍କୁ ଅଣଦେଖା କରିବେ, ତାହାକୁ ନେଇ ଏବେ ଆଶା ଓ ଆଶଙ୍କାରେ ଭୋଟର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ