ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ସହର
ଛତ୍ରପୁର (ଓ୍ବାଇଏନଏସ); ମା ରାମାୟାଣାମ୍ମା ଙ୍କ ଠାକୁରାଣୀ ଯାତ୍ରା ମେ୪ ତାରିଖରୁ ଛତ୍ରପୁର ସହରରେ ଚାଲୁଛି । ମାଙ୍କ ଯାତ୍ରା ପାଇଁ ସହର ଚଳଚଂଚଳ ହୋଇ ପଡିଥିବା ବେଳେ ଆଲୋକସଜ୍ଜାରେ ସହର ଝଲସି ଉଠୁଛି । ସହରର ବିଭିନ୍ନ ପ୍ରବେଶ ପଥରେ ଲାଇଟ ଗେଟ ସାଙ୍ଗକୁ ତୋରଣ ମାନ ଶୋଭା ପାଉଛି । ପ୍ରତିଦିନ ଅସ୍ଥାୟୀ ମଣ୍ଡପରେ ମା ରାମାୟାଣାମ୍ମାଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସନ୍ଧ୍ୟାରେ ମା ବିଭିନ୍ନ ପ୍ରକାର ପଟୁଆର ସାଙ୍ଗରେ ସାହି କୁ ସାହି ବୁଲି ଭକ୍ତ ମାନଙ୍କ ଠାରୁ ଭୋଗ ଗ୍ରହଣ କରୁଛନ୍ତି । ମା ଙ୍କ ନଗର ଭ୍ରମଣରେ ବାଘ ନାଚ, ବୃଷଭ, ଆନ୍ଧ୍ରା କାଳୀ, ରଣପ୍ପା କାଳୀ, ଶିବ ପାର୍ବତୀଙ୍କ ମନୋରମ ନୃତ୍ୟ, କଣ୍ଠେଇ ନାଚ, କୀର୍ତ୍ତନ, ଘଣ୍ଟ କାହାଳି ଆଦି ଶୋଭା ପାଉଛି । ସହର ମଧ୍ୟରେ ମାନସିକ ଧାରୀ ମାନେ ଠାକୁରଙ୍କ ବେଶ ଧରି ସହର ବୁଲୁଥିବା ଦେଖିବାକୁ ମିଳିଛି । ରାଧା, କୃଷ୍ଣ, ହନୁମାନ, ରାମ, ଲକ୍ଷ୍ମଣ, ସୀତା, ଦୁର୍ଗା ଆଦି ବେଶରେ ସହର ବୁଲି ନିଜ ନିଜ ମାନସିକ ଧାରୀ ମାନେ ପୂର୍ଣ୍ଣ କରିଛନ୍ତିି । ମଙ୍ଗଳବାର ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରାର ୧୬ ଦିନ ଅବସରରେ ମା ନାଗୁଲୁପେଟା ସାହି ବୁଲି ଶ୍ରଦ୍ଧାଳୁଙ୍କ ଠାରୁ ଭୋଗ ଗ୍ରହଣ କରିଛନ୍ତି । ଅନ୍ୟପଟେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସହରର ଭିଆଇପି ରୋଡ ରେ ରାମଦୋଳି ଓ ମୀନା ବଜାର ପ୍ରସ୍ତୁତ ଚାଲିଛି । ସହର ବାସୀ ମାନଙ୍କ ଘରେ ପିଠା ପଣା ସାଙ୍ଗକୁ ବନ୍ଧୁ ବାନ୍ଧବଙ୍କ ଆସର ଜମିଥିବା ଦେଖିବାକୁ ମିଳିଛି । ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଯାତ୍ରା ଚଳିତ ବର୍ଷ ଜୁନ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।


