ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାରେ ଖୋଲିବ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ସମଗ୍ର ଶିକ୍ଷା ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ସ୍ଥିତ ଜଗଦଳପୁର ହାଇସ୍କୁଲ ସମେତ ଗଞ୍ଜାମ ଜିଲ୍ଲାର ପୋଲସରା, ବେଗୁନିଆପଡା, ଶେରଗଡ, ଜଗନ୍ନାଥପ୍ରସାଦ, ପାତ୍ରପୁର, ରଙ୍ଗେଇଲୁଣ୍ଡା, ଦିଗପହଣ୍ଡି, ଛତ୍ରପୁର, ହିଞ୍ଜିଳିକାଟୁô, ପୁରୁଷୋତ୍ତମପୁର ଅଞ୍ଚଳର ୧୨ଟି ମାଧ୍ୟମିକ ବିଦ୍ୟାଳୟ (ଉଚ୍ଚ ବିଦ୍ୟାଳୟ) କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନିତ କରାଯାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକର ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାକୁ ଅପ୍ଗ୍ରେଡ୍ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ ସାଙ୍ଗକୁ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲିବା ସକାଶେ ଭିତ୍ତିଭୂମୀର ବିକାଶ ଓ ଶୈକ୍ଷିକ ପରିବେଶର ଉନ୍ନତି ପାଇଁ ୧ କୋଟି ୮୬ ଲକ୍ଷ ୫୩ ହଜାର ଟଙ୍କା ମଂଜୁର କରାଯିବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲା ବେଳେ ଏଥି ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ନିତ୍ୟାନନ୍ଦ ଗଣ୍ଡ, ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ସମେତ ଶିକ୍ଷା ବିଭାଗର ଦାୟିତ୍ୱରେ ଥିବା ପଦାଧିକାରୀମାନଙ୍କୁ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ଶିବ କୁମାର ନାୟକ ଏବଂ ବିଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ସଚେତନ ନାଗରିକ, ଶିକ୍ଷାବିତ୍, ଅଭିଭାବକ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାକୁ ଉନ୍ନିତ କରାଯାଇ ଉଚ୍ଚ ମାଧ୍ୟମିକ ବିିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିବା ନେଇ କେନ୍ଦ୍ର ପ୍ରକଳ୍ପ ଅନୁମୋଦନ (ବୋର୍ଡ) ସୁପାରିଶ ପ୍ରଦାନ କରିଥିବା ଜଣାପଡିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ମଂଜୁର ପ୍ରସ୍ତାବ ଅନୁଯାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭୧ଟି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୪୦ କୋଟି ୭୩ ଲକ୍ଷ ୮୦ ଟଙ୍କା ଅଣଆବର୍ତ୍ତକ ବ୍ୟୟ ମଂଜୁର ହୋଇଥିବା ବେଳେ ସେଥି ମଧ୍ୟରୁ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟକୁ ୧ କୋଟି ୮୬ ଲକ୍ଷ ୫୩ ହଜାର ଟଙ୍କା ଅନୁଦାନ ମିଳିଛି । ଏହି ବର୍ଷ ଅର୍ଥାତ୍ ୨୦୨୬-୨୭ ଆର୍ଥିକ ବର୍ଷରେ ବିନିଯୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ପକ୍ଷରୁ ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପତ୍ର ଲେଖାଯାଇ ପ୍ରକଳ୍ପ ଅନୁମୋଦନ ବୋର୍ଡ ଦ୍ୱାରା ଅନୁମୋଦିିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ଗୁଣ୍ଠପଡାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଖୋଲିବା ପାଇଁ ଆବଶ୍ୟକୀୟ ସରକାରୀ ଆଦେଶ ଜାରି କରିବାକୁ ପରାମର୍ଶ ବି ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ଅନୁମତି ମିଳିବା ପରେ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ସମେତ ଗଞ୍ଜାମ ଜିଲ୍ଲାର ୧୨ଟି ମାଧ୍ୟମିକ ବିଦ୍ୟାଳୟ (ଉଚ୍ଚ ବିଦ୍ୟାଳୟ)ରେ କଳା ଓ ବାଣିଜ୍ୟ ବିଭାଗରେ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ ହେବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାରେ ନୂତନ ଭାବେ ଖୋଲିବାକୁ ଥିବା ଯୁକ୍ତ ଦୁଇ ଶ୍ରେଣୀରେ କଳା ପାଠ୍ୟକ୍ରମ ଖୋଲିବାକୁ ଥିବା ବେଳେ ଗ୍ରାମାଞ୍ଚଳର ବିଦ୍ୟାର୍ଥୀମାନେ ଆଉ ଦୂରଦୂରାନ୍ତକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ନଯାଇ ନିଜ ଅଞ୍ଚଳରେ ପଢିବାର ସୁଯୋଗ ପାଇବେ ବୋଲି ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ଉଚ୍ଚ ବିଦ୍ୟାଳୟକୁ ଉନ୍ନିତ କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ ସାଙ୍ଗକୁ ଯୁକ୍ତ ଦୁଇ ବିଷୟରେ କଳା ପାଠ୍ୟକ୍ରମ ଖୋଲିବା ଲାଗି ସରକାର ନେଇଥିବା ନିଷ୍ପତ୍ତିକୁୁ ନେଇ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ଅନ୍ନପୂର୍ଣ୍ଣା ଭୋଇ, ରୁଦ୍ର ପ୍ରସାଦ ସେଠୀ, ସୁନିଲ୍ ସେଠୀ, ଜି.ଆନନ୍ଦ ପାତ୍ର, କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳବମାଧବ ସ୍ୱାଇଁ ପ୍ରମୁଖ ଖୁସି ପ୍ରକଟ କରିଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମରେ ୧୯୬୨ ମସିହାରେ ସ୍ଥାପିତ ହୋଇଥିବା ଜଗଦଳପୁର ଉଚ୍ଚ ବିଦ୍ୟାଳୟକୁ ଇତିମଧ୍ୟରେ ୬୩ ବର୍ଷ ପୁରିଯାଇଥିଲା ବେଳେ ଦୀର୍ଘ ଦିନର ଲମ୍ବା ଶିକ୍ଷାଯାତ୍ରାରେ ଏହି ପୁରାତନ ଶିକ୍ଷାନୁଷ୍ଠାନ ବହୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରି କରିଥିଲା ବେଳେ ସେମାନେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରି ଶିକ୍ଷାନୁଷ୍ଠାନର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାରେ ସହାୟକ ହୋଇପାରିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳିଛି ।


