ବାଇକ ଆରୋହୀଙ୍କ ପେଟରେ ପଶିଗଲା ଗଛଡାଳ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ବାଇପୁର ଗ୍ରାମର ଜଣେ ବାଇକ ଆହୋହୀଙ୍କ ପେଟରେ ଗଛ ଡାଳ ପଶି ଯାଇଛି। ଗୁରୁତର ଆହତ ଯୁବକଙ୍କ ନାମ ହେଉଛି ବିଚିତ୍ର ପ୍ରଧାନ ଓ ତାଙ୍କ ଘର ବାଇପୁର ଗ୍ରାମରେ ବୋଲି ଜଣାପଡିଛି। ଗଛ ଡାଳଟି ତାଙ୍କ ପେଟ ବାଟେ ପଶି ପିଠି ବାଟେ ବାହାରି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କ ପେଟରୁ ଗଛ ଡାଳ ବାହାର କରିବା ପାଇଁ ଅସମର୍ଥ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଖବର ନେବାରୁ ଜଣାପଡିଛି ବିଚିତ୍ର କୌଣସି କାର୍ଯ୍ୟରେ ବାଇପୁର ଗ୍ରାମରୁ କେନ୍ଦ୍ରାପଡ଼ା ସହର ଅଭିମୁଖେ ବାଇକରେ ଆସୁଥିଲେ। ବାଇକ ଚଳାଇ ଗ୍ରାମରୁ କିଛି ଦୂର ଯାଇଥିବା ବେଳେ ହଠାତ ବିଜୁଳି ଓ ଘଡଘଡି ମାରିଲା। ଫଳରେ ଏକ ଗଛର ଡାଳ ଭାଙ୍ଗି ତାଙ୍କ ବାଇକ ଉପରେ ପଡିବା ସହ ତାଙ୍କ ପେଟରେ ପଶିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କ ଅନ୍ତବୁଜୁଳା ବାହାରି ପଡିଥିଲା। ସେହି ରାସ୍ତାରେ ଯାଉଥିବା କଂସାର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଓସ୍ତପୁର ପ୍ରାଥମିକ ସମବାୟ ସମିତି ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନେଇଥିଲେ। କେନ୍ଦ୍ରାପଡ଼ା ଡାକ୍ତରଖାନାରେ ତାଙ୍କୁ ଆଶୁ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


