କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ଅକ୍ଷୟ ତୃତୀୟା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ତୁଳସୀ କ୍ଷେତ୍ରରେ ଅକ୍ଷୟ ତୃତୀୟା ନୀତି ପାଳିତ ହୋଇଯାଇଛି। ସୋମବାର ଠାରୁ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରାରେ ବିଜେ ପ୍ରତିମା ସାମିଲ ହେବେ। ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ପରେ ଶ୍ରୀଜୀଉଙ୍କ ମଉଳି ବସ୍ତ୍ର ଉଲାଗି କରାଯାଇଥିଲା। ଏହାପରେ ଶୁକ୍ଲବସ୍ତ୍ର ଲାଗି କରାଯାଇ ମଙ୍ଗଳାର୍ପଣ କରାଯାଇଥିଲା। ପରେ ପଣା ପଖାଳ ଭୋଗ ଲାଗି ହୋଇଥିଲା। ଦ୍ୱିପହର ଧୂପ ସମ୍ପନ୍ନ ପରେ ବିଜେ ପ୍ରତିମା ବିମାନରେ ବସି ଚନ୍ଦନ ଯାତ୍ରାରେ ସାମିଲ ହୋଇଥିଲେ। ବିଧି ଅନୁଯାୟୀ ମନ୍ଦିର ସମ୍ମୁଖରେ ରଥ ଅନୁକୂଳ ନୀତି କରାଯାଇଥିଲା। ନୀତି ସମ୍ପନ୍ନ ପରେ ମୁଖ୍ୟ ମହାରଣା ଏବଂ ମୁଖ୍ୟ କମାର ମସ୍ତକରେ ସିରିପା ବନ୍ଧା ହୋଇଥିଲା। ଏହି କାର୍ଯ୍ୟ ସମ୍ପନ୍ନ ପରେ ପବିତ୍ର ଚନ୍ଦନ ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପ ଖେଳ ହୋଇଥିଲା। ଚାପ ଖେଳ ସମ୍ପନ୍ନ ପରେ ଚନ୍ଦନ ପୋଖରୀ ମଧ୍ୟରେ ଥିବା ଚନ୍ଦନ ତାଲାରେ ଠାକୁର ବିଶ୍ରାମ ନେଇଥିଲେ। ରାତ୍ରରେ ବିଜେ ପ୍ରତିମା ବିମାନରେ ବିଜେ ହୋଇ ଶ୍ରୀମନ୍ଦିରକୁ ଫେରିଥିଲ। ଏହି ଅବସରରେ ଅନ୍ୟ ନୀତିକାନ୍ତି ସମ୍ପନ୍ନ ପରେ ରାତ୍ର ଏଗାରଟା ବେଳକୁ ପହୁଡ଼ ପଡ଼ିଥିଲା ବୋଲି ସେବାୟତ ଜ୍ୟୋତି ରଞ୍ଜନ ପତ୍ରୀ ସୂଚନା ଦେଇଛନ୍ତି।


