ଗ୍ରାମବାସୀ ଙ୍କୁ ହତ୍ୟା ଧମକ ଅଭିଯୋଗ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ବିରିବାଡିଆ ଗ୍ରାମର ଚିତ୍ରସେନ ମଲ୍ଲିକ ଗତ ଏପ୍ରିଲ ୨୨ ତାରିଖ ମଧ୍ୟାହ୍ନ ଠାରୁ ନିଖୋଜ ଥିଲେ।୨୩ ତାରିଖ ସକାଳେ ଗାଁ ନିକଟ ଜଙ୍ଗଲରୁ ତାଙ୍କ କ୍ଷତାକ୍ତ ଶବ ମିଳିଥିଲା। ଦିଗପହଣ୍ଡି ଥାନା ଅପମୃତ୍ୟୁ ମାମଲା ନଂ.୧୧/୨୫ ଅନୁଯାୟୀ ପୁଲିସ ଶବ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପଞ୍ଚନାମା କରାଇଥିଲେ। ପାରିବାରିକ କଳହ ରୁ ଚିତ୍ରସେନ ଙ୍କ ପରିବାର ଲୋକେ ହିଁ ପୂର୍ବ ଯୋଜନା ପ୍ରକାରେ ତାଙ୍କୁ ହତ୍ୟା କରିଥିବା ନେଇ ଗ୍ରାମର କିଛି ବ୍ୟକ୍ତି ପୁଲିସ ନିକଟରେ ବୟାନ ଦେଇଥିଲେ। ଏନେଇ ଚିତ୍ରସେନ ଙ୍କ ପୁଅ ଅଜୁ ମଲ୍ଲିକ ଘଟଣା ପରଠାରୁ ଉତ୍ତେଜିତ ହୋଇ ଗ୍ରାମର ବହୁ ସଂଖ୍ୟକ ଲୋକଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି।ଗ୍ରାମର ମିଟୁ ମଲ୍ଲିକ ଏନେଇ ସୋମବାର ଥାନାରେ ଏତଲା ଦେଇଛନ୍ତି ।ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୬୦/୨୫ ଅନୁଯାୟୀ ଅଭିଯୁକ୍ତ ଅଜୁ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି।


