ଲେଭେଲ-୩ ପ୍ରଧାନଶିକ୍ଷକ ନିଯୁକ୍ତିରେ ପାତରଅନ୍ତର ଅଭିଯୋଗ

ନାଉଗାଁ ,(ପ୍ରଦୋଷ ମହାନ୍ତି)ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିକ୍ଷା ବିଭାଗରେ ଲେଭେଲ-୪ ସ୍ନାତକ ଶିକ୍ଷକଙ୍କୁ ଲେଭେଲ-୩ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ପରେ ବିଭିନ୍ନ ବିଦ୍ୟାଳୟରେ ଅବସ୍ଥାପନକୁ ନେଇ ବିବାଦ ଦେଖାଦେଇଛି। ଏହି ପ୍ରକ୍ରିୟାରେ ନନ୍ଦିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ପାତରଅନ୍ତର କରାଯାଇଥିବା ଅଭିଯୋଗ କରି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୁଦ୍ର ପ୍ରସାଦ ପରିଡ଼ାଙ୍କ ସମେତ ଅଭିଭାବକମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଦସ୍ତଖତ ସମ୍ବଳିତ ଅଭିଯୋଗପତ୍ର ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ, ପଦୋନ୍ନତି ପରେ ପ୍ରକାଶିତ ନିଯୁକ୍ତି ତାଲିକାରେ ନନ୍ଦିଗ୍ରାମ ବିଦ୍ୟାଳୟକୁ ସାମିଲ କରାଯାଇନାହିଁ। ଉକ୍ତ ବିଦ୍ୟାଳୟରେ ଶିଶୁବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଶ୍ୱନାଥ ବେହେରା ଏକମାତ୍ର ଗଣିତ ଓ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିଲେ। ଏଥିସହ ସେ ବିଏଲ୍ଓ ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ତାଙ୍କୁ ଅନ୍ୟତ୍ର ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଥିବାରୁ ବିଦ୍ୟାଳୟରେ ଶିକ୍ଷକ ଅଭାବ ଆହୁରି ଉତ୍କଟ ହେବା ସହ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପକ୍ଷରେ, ଗୋଠଦା ଏସ୍.ଏନ୍.କେ. ୟୁପିଏସ୍‌ରେ ୪୨ ଜଣ ଛାତ୍ରଛାତ୍ରୀ ଥିବାବେଳେ ସେଠାରେ ଲେଭେଲ-୩ ପ୍ରଧାନଶିକ୍ଷକ ଭାବେ ରଞ୍ଜିତା ସ୍ୱାଇଁଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ୭୫ଜଣ ଛାତ୍ରଛାତ୍ରୀ ଥିବା ଚାନ୍ଦଖାଁପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  କାର୍ଯ୍ୟରତ ସହକାରୀ ଶିକ୍ଷକ ଚିନ୍ତାମଣି ରାଉଳଙ୍କୁ ଲେଭେଲ-୩ ପ୍ରଧାନଶିକ୍ଷକ ଭାବେ ଅବସ୍ଥାପିତ କରାଯାଇଛି। ଏଭଳି ସ୍ଥିତିରେ ୮୦ଜଣ ଛାତ୍ରଛାତ୍ରୀ ଥିବା ନନ୍ଦିଗ୍ରାମ ବିଦ୍ୟାଳୟକୁ କାହିଁକି ଏହି ସୁଯୋଗରୁ ବଞ୍ଚିତ କରାଗଲା ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଶ୍ୱନାଥ ବେହେରାଙ୍କୁ ପୁନର୍ବାର ନନ୍ଦିଗ୍ରାମ ବିଦ୍ୟାଳୟରେ ଅବସ୍ଥାପିତ କରିବା ସହ ସମଗ୍ର ପଦୋନ୍ନତି ପରବର୍ତ୍ତୀ ଅବସ୍ଥାପନ ପ୍ରକ୍ରିୟାର ନିରପେକ୍ଷ ତଦନ୍ତ କରିବାକୁ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଏହାର ନକଲ ଜିଲ୍ଲା ଶିକ୍ଷାଧିକାରୀ ଓ ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ବିଭାଗୀୟ ଅଫିସ୍ ଅର୍ଡର ଅନୁଯାୟୀ, ନାଉଗାଁ ବ୍ଲକର ୮ଜଣ ଶିକ୍ଷକଙ୍କୁ ଲେଭେଲ-୩ ପଦବୀକୁ ପଦୋନ୍ନତି ଦିଆଯାଇ ବିଭିନ୍ନ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଲିକା ଅନୁସାରେ ସୁଧୀର କୁମାର ବିଶ୍ୱାଳଙ୍କୁ ମାରଡା ପ୍ରୋଜେକ୍ଟ ୟୁପିଏସ୍, ଚିନ୍ତାମଣି ରାଉଳଙ୍କୁ ଚାନ୍ଦଖାଁପାଟଣା ପ୍ରୋଜେକ୍ଟ ୟୁପିଏସ୍, ରଞ୍ଜିତା ସ୍ୱାଇଁଙ୍କୁ ଗୋଠଦା ଏସ୍.ଏନ୍.କେ. ୟୁପିଏସ୍ ଏବଂ ସୁକାନ୍ତ କୁମାର ଜେନାଙ୍କୁ ତେଣ୍ଟୋଇ ୟୁପିଏସ୍‌ରେ ନିଯୁକ୍ତି ଦିଆଯାଇଛି। ସେହିପରି ମାଳତୀ ସେଠୀଙ୍କୁ କୁଣ୍ଡେଶ୍ୱର ୟୁପିଏସ୍, ନିମାଇଁ ଚରଣ ସେଠୀଙ୍କୁ ବାଲିସାହି ବି.ବି. ୟୁପିଏସ୍, ନାରାୟଣ ବେହେରାଙ୍କୁ ଅଲଣାହାଟ ୟୁପିଏସ୍ ଏବଂ ବିଶ୍ୱନାଥ ବେହେରାଙ୍କୁ କାଳିଦାସ ୟୁପିଏସ୍‌ରେ ଅବସ୍ଥାପିତ କରାଯାଇଛି। ଏସମ୍ପର୍କରେ ନାଉଗାଁ ବ୍ଲକ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ପଚାରିବାରୁ, ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ