ଜମିର ସୁରକ୍ଷା ସହ ସାର୍ବିକ ବିକାଶ ପାଇଁ ପୁରାତନ ଛାତ୍ରସଂସଦର ସଙ୍କଳ୍ପ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):୮୦ତମ ସ୍ୱାଧୀନତା ଦିବସର ଶୁଭଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ କଲେଜ ପ୍ରେକ୍ଷାଳୟରେ ସଂସଦର ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମାତୃ ଶିକ୍ଷାକେନ୍ଦ୍ରର ସୁରକ୍ଷା ସହ ତାର ସାର୍ବିକ ବିକାଶ ପାଇଁ ସଂକଳ୍ପ ଗ୍ରହଣ କରିଛି ସଂସଦ। ଏହି ସଭାରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରାଧ୍ୟାପକ ଚିତ୍ତରଞ୍ଜନ ଦାସଙ୍କୁ ସ୍ୱାଗତ କରାଯାଇଥିଲା। ଏଥିସହିତ ଭାଙ୍ଗି ପଡୁଥିବା କଲେଜ ଏମବି(ମୁଖ୍ୟ କୋଠା)ର ସଂରକ୍ଷଣ ଓ ନବୀକରଣ ତଥା ନୂତନ ଭିତ୍ତିଭୂମି ସୃଷ୍ଟି ପାଇଁ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ ସହିତ ମତାମତ ପ୍ରଦାନ କରିଥିଲେ। ସଭାରେ ଯୋଗଦେଇ କଲେଜର ପ୍ରାକ୍ତନ ଛାତ୍ର ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ନବୀକରଣ ନିମିତ୍ତଅର୍ଥ ସହାୟତା ପାଇଁ ନିଜ ଅଙ୍ଗୀକାର ଘୋଷଣା କରିଥିଲେ। ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ପ୍ରାକ୍ତନ ଛାତ୍ରୀ ଡ. କଳ୍ପନା ମଲ୍ଲିକ କଲେଜ ପରିସରରେ ଛାତ୍ରୀମାନଙ୍କୁ ନିରାପଦ ଶୈକ୍ଷିକ ପରିବେଶ ଯୋଗାଇଦେବା ସପକ୍ଷରେ ମତବ୍ୟକ୍ତ କରିଥିଲେ। କଲେଜ ପ୍ରାକ୍ତନ ଅଧ୍ୟକ୍ଷ ତଥା ସଂସଦର ପ୍ରାକ୍ତନ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଯୋଗଦେଇ କେନ୍ଦ୍ରାପଡା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ମତ ଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଘୋଷଣା କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ପୁରାତନ ଛାତ୍ରସଂସଦ ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ସଭାର ଉଦେଶ୍ୟ ଜ୍ଞାପନ ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। କଲେଜର ଦିବଂଗତ ଅଧ୍ୟକ୍ଷ ବିଶ୍ୱମୋହନ ମିଶ୍ର, ଶରତ କୁମାର ରଥ, ଅଧ୍ୟାପକ ପ୍ରମୋଦ କୁମାର ସାମଲ ଓ ଛାତ୍ର ଅଭିମନ୍ୟୁ ଦାସଙ୍କ ସ୍ମୃତିରେ ଶୋକ ପ୍ରକାଶ କରାଯାଇଥିଲା। ବରିଷ୍ଠ ଉପସଭାପତି ଡ. ତ୍ରୈଲୋକ୍ୟନାଥ ସାମଲ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସଭାରେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ କମିଟି ସଦସ୍ୟ ଚିତ୍ତରଞ୍ଜନ ଦାସ, ଡ. ବିଧୁଭୂଷଣ ଦାଶ, ଡ. ବାସୁଦେବ ଦାସ, ଗୋଲଖ ଚନ୍ଦ୍ର ମହାଭୋଇ, ରାଜେଶ ନାୟକ, ପ୍ରତାପ ଚନ୍ଦ୍ର ମହାନ୍ତି, ମଧୁସୁଦନ ବେହେରା, ଡ. ରଶ୍ମୀ କର, ବିଶ୍ୱନାଥ ଆଚାର୍ଯ୍ୟ, ଭବାନୀ ଓଝା, ଶରତ ସିଂହ, ବିଶ୍ୱଜିତ ଦାସ, ଡ. ପ୍ରଭାକର ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟତମ ଉପସଭାପତି ଡ. ପ୍ରଦୀପ୍ତ କିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ସୁବ୍ରତ କୁମାର ସାମଲ,ସୁଶିଲ କୁମାର ସାମଲ, ରାଜେଶ ଦାସ, ଭାଗିରଥି ଜେନା, ଅଧ୍ୟାପକ ତପନ କୁମାର ପତି, ପ୍ରଭାତ ଚନ୍ଦ୍ର ଦାସ, ପ୍ରମୋଦ କୁମାର ନାୟକ, ସାରଥି ଚନ୍ଦ୍ର କାନୁନଗୋ, ଅଶୋକ କୁମାର ଦାସ,ସୁନିଲ ମହାନ୍ତି, ଅଶୋକ ସାମଲ,ରବିନ୍ଦ୍ର ପରିଡା, ଗୋଲଖ ଚନ୍ଦ୍ର ମହାଭୋଇ, ରାଜେଶ ନାୟକ, ନିରାକାର ଜେନା, ସୁସିପ୍ତ ଦାସ,ନିତ୍ୟାନନ୍ଦ ସେଠୀ, ବିଜୟ କୁମାର ଦାସ, ଚିନ୍ମୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। କ୍ୟାପଟେନ ସୀମା ମହାନ୍ତି, ଡ. ଦିପ୍ତୀ ରାୟ, ସୁବ୍ରତ ପାତ୍ର, ବିକାଶ ନାୟକ, ମନୋଜ ପ୍ରଧାନ, ସୋନାଲିକା ମହାନ୍ତି, ଡ. ରତ୍ନମଞ୍ଜରୀ ଦାସ, ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ