“କାୟାକଳ୍ପ” ପୁରସ୍କାର ପାଇବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ମନୋନୀତ

ଆସିକା  (ୱାଇଏନ୍‍ଏସ୍‍) : ସ୍ୱଚ୍ଛତା ଓ ପରିମଳ ସାଙ୍ଗକୁ ରୋଗୀସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ୨୦୨୫-୨୬ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ପାଇବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ମନୋନୀତ ହୋଇଥିବା ଜଣାପଡିଛି । କାୟାକଳ୍ପ ଆୱାର୍ଡ ପାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପକ୍ଷରୁ ମନୋନୀତ ହୋଇଥିବା ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପୁରସ୍କାର ବାବଦକୁ ୧ଲକ୍ଷ ଟଙ୍କା ଅର୍ଥରାଶି ମିଳିବ ବୋଲି ଜଣାପଡିଛି । ସରକାରୀ ଡାକ୍ତରଖାନାକୁ ସଂକ୍ରମଣ ରୋଗମୁକ୍ତ କରିବା ଲକ୍ଷ୍ୟରେ ଏହି କାୟାକଳ୍ପ କାର୍ଯ୍ୟକ୍ରମ ଗତ ୨୦୧୫ ମସିହାରୁ ଚାଲୁ ରହିଥିଲା ବେଳେ ଗତ ଜାନୁୟାରୀ ମାସ ୧୫ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ବର୍ହିବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଅନ୍ତଃବିଭାଗ, ଲାବୋରୋଟୋରୀ, ପୁଷ୍ଟି ପୁନର୍ବାସ କେନ୍ଦ୍ର, ରଞ୍ଜନ ରଶ୍ମି କକ୍ଷ, ବର୍ଜ୍ୟବସ୍ତୁ ପରିଚାଳନା, ପରିଷ୍କାର ପରିଚ୍ଛନ୍ନତା, ନିରାମୟ କେନ୍ଦ୍ର, ଅସ୍ତ୍ରୋପଚାର ଗୃହ, ଶିଶୁ ବିଭାଗ, ଶଲ୍ୟ ବିଭାଗ, ପାନୀୟ ଜଳ, ମାନବ ସମ୍ବଳ ସ୍ଥିତି, କର୍ମଚାରୀଙ୍କ ଦକ୍ଷତା, ଏଆର୍‍ଟି ସେବା, ମେ ଆଇ ହେଲ୍ପ ୟୁ ଡେସ୍କ, ସଫେଇ, ସଫାସୁତରା, ରୋଗୀଙ୍କ ସୁବିଧା ଅସୁବିଧା ସମେତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରି ଫେରିବା ପରେ ସେମାନଙ୍କ ରିପୋର୍ଟ ବିଭାଗୀୟ ପଦାଧିକାରୀଙ୍କୁ ପ୍ରଦାନ କରିଥିଲେ । ଆସିକା ଉପଖଣ୍ଡ ଚିକିତ୍ସାଳୟର ପରିସରକୁ ସଫାସୁତରା ଓ ସଂକ୍ରମଣ ମୁକ୍ତ ରଖିବା ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମେଡିକାଲ୍‍ ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରଚେଷ୍ଟା ଓ ମାର୍ଗଦର୍ଶନ ସାଙ୍ଗକୁ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ନିଷ୍ଠାପର ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଉଛି । କାୟାକଳ୍ପ ପୁରସ୍କାର ପାଇବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ମନୋନୀତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ସରକାରୀ ଡାକ୍ତରଖାନାରେ ଉତ୍ତମ ଓ ଗୁଣାତ୍ମ ସ୍ୱାସ୍ଥ୍ୟ ସେବା, ପରିଷ୍କାର ପରିଚ୍ଛନ୍ନତା ଏବଂ ସଂକ୍ରମଣ ବିହୀନ ସ୍ୱାସ୍ଥ୍ୟସେବା ସକାଶେ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପକ୍ଷରୁ କାୟାକଳ୍ପ ପୁରସ୍କାର ଗୁରବାର ଘୋଷଣା କରାଯାଇଥିବା ଜଣାପଡିଛି। କାୟାକଳ୍ପ ପୁରସ୍କାର ପାଇବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ସମେତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଭେଟନଇ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ଓ ପଢାଳ (ଜୟପୁର) ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମନୋନୀତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ