ଆସିକା ସମବାୟ ଆର୍ବନ୍ ବ୍ୟାଙ୍କ : ଏକ ସ୍ୱର୍ଣ୍ଣିମ ଅତୀତର ଦୁଃଖଦ ବର୍ତ୍ତମାନ
ଆସିକା (ୱାଇଏନ୍ଏସ୍) : ଆସିକା ଅଞ୍ଚଳରେ ସମବାୟର ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ୧୯୪୦ମସିହା ନଭେମ୍ବର ମାସ ୧୧ତାରିଖରେ ସ୍ଥାପିତ ହୋଇଥିଲା ସମବାୟ ଆର୍ବନ୍ ବ୍ୟାଙ୍କର ଏକ ବଡ ଅବଦାନ ଥିଲା। ଅତୀତରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସମୟରେ ସ୍ୱର୍ଣ୍ଣ ବନ୍ଧକ ଋଣ ଦେବାଠାରୁ ଆରମ୍ଭ କରି ଶହଶହ ଲୋକଙ୍କୁ ଗୃହ ବନ୍ଧକ ଋଣ ଓ ବେକାରୀ ଯୁବକ ମାନଙ୍କ ଆତ୍ମ ନିର୍ଭରଶୀଳ କରିବା ଲାଗି ବ୍ୟବସାୟୀକ ଋଣ ଲଗାଣ ଏବଂ ଜମା ସଂଗ୍ରହ କ୍ଷେତ୍ରରେ ଏହି ପୁରାତନ ସମବାୟ ସଂସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିଲା। ଆସିକା ସମବାୟ ଆରବନ୍ ବ୍ୟାଙ୍କ ଉପରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ଯଥେଷ୍ଟ ସହାୟକ ଥିଲା ଏହି ଅନୁଷ୍ଠାନ। ତେବେ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଦୀର୍ଘ ପ୍ରାୟ ୨୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଆସିକା ସମବାୟ ଆରବନ୍ ବ୍ୟାଙ୍କରେ ତାଲା ଝୁଲୁଥିଲା ବେଳେ ଏହାର କୋଠା ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଭୁତ କୋଠିରେ ପରିଣତ ହୋଇଥିବାରୁ ଏହା ଏକ ସ୍ୱର୍ଣ୍ଣିମ ଅତୀତର ଦୁଃଖଦ ବର୍ତ୍ତମାନ ବୋଲି ସମବାୟ ପ୍ରେମୀ ମହଲରେ ମତପ୍ରକାଶ ପାଉଛି। ଅତୀତରେ ଆସିକା ସମବାୟ ଆରର୍ବନ ବ୍ୟାଙ୍କରେ କାଳୀଚରଣ ମହାନ୍ତି, ହରିଶ୍ଚନ୍ଦ୍ର ବେହେରା, ଭଗବାନ ସାହୁ, କେ. କଙ୍ଗୁରୁ ରେଡି, ସୁବାଷ ଚନ୍ଦ୍ର ସାହୁ, ଗୋବିନ୍ଦ ବିଶ୍ୱାଳ, ଶ୍ୟାମ ସୁନ୍ଦର ସାମଲ, ଲକ୍ଷ୍ମୀକାନ୍ତ ମହାପାତ୍ର, ଧ୍ରୁବ ନାୟକ, ମୋଚିରାମ ବିଶ୍ୱାଳ, ଜଗନ୍ନାଥ ବିଷୋୟୀ, ତପନ କୁମାର ପାତ୍ର, ପ୍ରଫୁଲ କୁମାର ସ୍ୱାଇଁ, ପ୍ରସନ୍ନ କୁମାର ସ୍ୱାଇଁ, ଜଟେଶ୍ୱର ଦାସ, ଏମ୍. ଶ୍ୟାମ ସୁନ୍ଦର ରେଡିଙ୍କ ସମେତ ବହୁ କର୍ମଚାରୀ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ବିଗତ କିଛି ବର୍ଷ ମଧ୍ୟରେ ବହୁ କର୍ମଚାରୀ ମୃତ୍ୟୁବରଣ କରିସାରିଥିବା ବେଳେ କେତେକ କର୍ମଚାରୀ ପେଟପାଟଣା ତଥା ପରିବାର ପ୍ରତିପୋଷଣ ପାଇଁ ଅନ୍ୟ କେଉଁ ସଂସ୍ଥାରେ ସ୍ୱଳ୍ପ ଦରମାରେ କାମ କରୁଥିବା ବେଳେ କେତେକ କର୍ମଚାରୀ ରୋଗରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ସେବା ପାଇ ନ ପାରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳୁଛି। ଆସିକା ସମବାୟ ଆରବନ୍ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ କେତେକ କର୍ମଚାରୀ ସେମାନଙ୍କ ବକେୟା ପ୍ରାପ୍ୟ ପାଇ ନ ପାରି ଦିନେ ଖାଇଲେ ଦିନେ ଉପାସରେ ରହି ବଡ କଷ୍ଟରେ ଭାଗ୍ୟକୁ ଆଦରି ଜୀବନ ଜାପନ କରୁଛନ୍ତି। ୧୯୪୦ମସିହା ନଭେମ୍ବର ମାସ ୧୧ ତାରିଖରେ ଆସିକା ସମବାୟ ଆରବନ୍ ବ୍ୟାଙ୍କ ସ୍ଥାପିତ ହୋଇଥିବା ବେଳେ ବର୍ଷ ବର୍ଷ ଧରି ଏହି ବ୍ୟାଙ୍କ ଲୋକଙ୍କୁ ଗୃହବନ୍ଧକ ଋଣ, ବ୍ୟବସାୟୀକ ଋଣ ଓ ସ୍ୱର୍ଣ୍ଣ ବନ୍ଧକ ଋଣ ଯୋଗାଇ ଦେଇ ଆସୁଥିଲା। ତେବେ ଗତ ୨୦୦୦ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସିକା ସମବାୟ ଆରବନ୍ ବ୍ୟାଙ୍କର ଲାଇସେନ୍ସକୁ କୌଣସି କାରଣରୁ ରଦ୍ଦ କରିବା ପରେ ଏହି ପୁରାତନ ସମବାୟ ଅନୁଷ୍ଠାନ ୨୦୦୨ ମସିହା ମାର୍ଚ୍ଚ ମାସ ୬ ତାରିଖରୁ ବନ୍ଦ ହୋଇଯାଇଛି। ଆସିକା ସମବାୟ ଆରବନ୍ ବ୍ୟାଙ୍କ ଅତୀତରେ ଲୋକଙ୍କୁ ଦେଇଥିବା ଲକ୍ଷ ଲକ୍ଷ ଟଙ୍କା ଋଣ ମଧ୍ୟ ଅନାଦେୟ ହୋଇ ପଡି ରହିଛି। ସରକାରଙ୍କ ପକ୍ଷରୁ ବନ୍ଦ ହୋଇ ପଡି ରହିଥିବା ଆସିକା ସମବାୟ ଆରବନ୍ ବ୍ୟାଙ୍କକୁ ପୁର୍ନଋଦ୍ଧାର କରିବା ସାମ୍ପ୍ରତିକ ପରିସ୍ଥିତିରେ ଜରୁରୀ ହୋଇପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ସମବାୟ ନଗରୀ ରୂପେ ସୁଖ୍ୟାତି ଅର୍ଜନ କରିଥିବା ଆସିକା ଅଞ୍ଚଳରୁ ଗତ କିଛି ବର୍ଷ ମଧ୍ୟରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଗୋଟିଏ ପରେ ଗୋଟିଏ ସମବାୟ ଅନୁଷ୍ଠାନ ଜନମାନସରୁ ଲିଭିଚାଲିଥିବା ବେଳେ ଯେଉଁ କେତୋଟି ହାତଗଣତି ସମବାୟ ଅନୁଷ୍ଠାନ ରହିଛି ସେଥି ମଧ୍ୟରୁ ଆସିକା ସମବାୟ ଆରବନ୍ ବ୍ୟାଙ୍କ ଅନ୍ୟତମ । ଦୀର୍ଘ ପ୍ରାୟ ୨୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଏହି ପୁରାତନ ସମବାୟ ଅନୁଷ୍ଠାନ ଏକ ପ୍ରକାର ଅଚଳ ହୋଇ କର୍ପୂର ଉଡିଯାଇ କନା ପଡିଥିବା ସ୍ଥିତିରେ ରହିଛି । ଅତୀତରେ ଦୀର୍ଘ ବର୍ଷ ଧରି ଏହି ବ୍ୟାଙ୍କ ଠିକ୍ ଭାବେ କାମ କରୁଥିଲା । ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଲୋକଙ୍କ ଭିଡ ମଧ୍ୟ ଲାଗି ରହୁଥିଲା । ବିଗତ କିଛି ବର୍ଷ ହେଲା ଏହି ସମବାୟ ଆରବନ୍ ବ୍ୟାଙ୍କରେ କାର୍ଯ୍ୟରତ ଥିବା କେତେକ କର୍ମଚାରୀଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଡୋରି ବନ୍ଧା ହୋଇ ସାରିଥିବା ବେଳେ ଅର୍ଥାଭାବରୁ ଅଧିକାଂଶ ସମୟରେ କର୍ମଚାରୀ ମାନେ ନିଜର ତଥା ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଆରବନ୍ ବ୍ୟାଙ୍କରେ ଅତୀତରେ କାର୍ଯ୍ୟରତ କର୍ମଚାରୀଙ୍କ ଦୁଃଖ କହିଲେ ନସରେ । ସେମାନେ କିପରି ଚଳୁଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଜିଲ୍ଲା ପ୍ରଶାସନ ତଥା ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସମବାୟ ଆରବନ୍ ବ୍ୟାଙ୍କର ପୁନରୁଦ୍ଧାର କରିବା ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ, ପୂର୍ବତନ କାଉନସିଲର ଏମ୍.ତାରିଣୀ ସେନାପତି, ବରିଷ୍ଠ ଆଇନଜୀବୀ ଅଜିତ୍ କୁମାର ଚୌଧୁରୀ, ଆଇନଜୀବୀ ମାନସପୂର୍ଣ୍ଣ ଆଚାର୍ଯ୍ୟ, ସନ୍ତୋଷ କୁମାର ପାଣିଗ୍ରାହୀ, ପି.ରବିକୁମାର ପାତ୍ର, କେ.ବ୍ରହ୍ମାନନ୍ଦ ରାଓ, ବି.ସୂର୍ଯ୍ୟପ୍ରକାଶ ରାଓ, ରାଘବ କୁମାର ନାହାକ, ସମବାୟପ୍ରେମୀ ପି.ଯୁଧିଷ୍ଠିର ପାତ୍ର, ଇ.ଅରୁଣ କୁମାର ପାତ୍ର, ଅଶୋକ କୁମାର ଦାଶ, ନୃସିଂହ ପଟ୍ଟନାୟକ, କୈଳାଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁୁଖ ଅନୁରୋଧ କରିଛନ୍ତି।


