ମହାବୀର ଯୁବକ ସଂଘର ବୋଲ୍ବମ୍ ଭକ୍ତଙ୍କ ଜଳଯାତ୍ରା
ଆସିକା (ୱାଇଏନ୍ଏସ୍) : ଆସନ୍ତା ସୋମବାର ଦିନ ଚିକିଟି ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥେଶ୍ୱର ମନ୍ଦିରରେ ଜଳଲାଗି କରିବା ଲାଗି ଆସିକା ପୌର ପରିଷଦ ଅଧୀନସ୍ଥ ୧୫ ନମ୍ବର ୱାର୍ଡ ଆର୍ବନ ବ୍ୟାଙ୍କ ରୋଡର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ମାନସିକଧାରୀ ବୋଲ୍ବମ୍ ଭକ୍ତ ତୁଣ୍ଡରେ ଶିବନାମ ଉଚ୍ଚାରଣ କରି ବୋଲ୍ବମ୍ ଯାତ୍ରାରେ ବାହାରିଥିବା ଲକ୍ଷ୍ୟ କରାଯାଇଛି । ଶ୍ରୀ ଶ୍ରୀ ମହାବୀର ବୋଲ୍ବମ୍ ଯୁବକ ସଂଘର ଆଧ୍ୟାତ୍ମିକପ୍ରେମୀ ଭକ୍ତ ଶିବପ୍ରସାଦ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନସିକଧାରୀ ଭକ୍ତ ନୂତନ କୁମାର ବେହେରା, ସୁମନ ମହାନ୍ତି, ରାହୁଳ ମହାନ୍ତି, ବଣ୍ଟି ବେହେରା, ଗୋପାଳ ବେହାର, ଉତ୍ତମ ବେହେରା, ରୁଦ୍ର ବେହେରା, ପପୁରାଜ ବେହେରା, ପବିତ୍ର ବେହେରା, ଗଗନ କୁମାର ପାଢୀ, ସୋନୁ ଆଚାରୀଙ୍କ ସମେତ ବହୁ ଭକ୍ତ ପ୍ରସିଦ୍ଧ ଶୈବପୀଠ ସୁବର୍ଣ୍ଣେଶ୍ୱର ନିକଟସ୍ଥ ଋଷିକୁଲ୍ୟା ନଦୀରେ ସଂକଳ୍ପ ହେବା ପରେ ଜଳଯାତ୍ରାରେ ବାହାରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପୌର ପରିଷଦ ଅଧୀନସ୍ଥ ୧୫ ନମ୍ବର ୱାର୍ଡ ଆର୍ବନ ବ୍ୟାଙ୍କ ରୋଡର ମାନସିକଧାରୀ କାଉଡିଆଙ୍କ ବୋଲ୍ବମ୍ ହରହରବମ୍, ଭୋଲାବାବା ପାର୍ କରେଗା, ଜଟିଆ ବାବା ପାର୍ କରେଗା ଆଦି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଗଗନ ପବନ । ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାରରେ ବିଭିନ୍ନ ଶୈବପୀଠ ଗୁଡ଼ିକରେ ଦେବଦେବ ମହାଦେବଙ୍କୁ ଜଳାଭିଷେକ କରିବା ନିମନ୍ତେ ଆସିକା ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଳରୁ ବୋଲ୍ବମ୍ ଭକ୍ତମାନଙ୍କ ଋଷିକୂଲ୍ୟା ନଦୀପଠାରେ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ଋଷିକୂଲ୍ୟା ନଦୀପଠାରେ ବିଭିନ୍ନ ସାହି ବସ୍ତିର ବୋଲ୍ବମ୍ ଭକ୍ତ ମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସାରି ଜଳଧରି ବୋଲ୍ବମ୍ ଯାତ୍ରାରେ ବାହାରି ଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ ବାହୁଙ୍ଗି ଧରି, ତୁଣ୍ଡରେ ଶିବ ନାମ ଉଚ୍ଚାରଣ କରି ଦୀର୍ଘପଥ ଚାଲିଚାଲି ଆସନ୍ତା ସୋମବାର ଦିନ ଭୋର ସମୟରେ ମାନସିକ ପୂରଣ ଲାଗି ଶୈବପୀଠ ଗୁଡ଼ିକରେ ପହଞ୍ଚି ଜଳ ଲାଗି କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଶ୍ରାବଣମାସର ସୋମବାରରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ ନିଜର ତଥା ପରିବାରର ମଙ୍ଗଳ ସାଧନ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶୈବଭକ୍ତ ମାନେ ବୋଲ୍ବମ୍ ଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ଜଳାଭିଷେକ କରିପାରିବେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଦେବ ଦେବ ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ। ପୁରାଣ- ଶାସ୍ତ୍ରରେ ଶ୍ରାବଣ ଶିବଙ୍କ ମାସ ଭାବେ ବର୍ଣ୍ଣିତ। ଶ୍ରାବଣ ସୋମବାର ଗୁଡିକରେ ସ୍ନାନ, ବ୍ରତ, ମହାଦେବଙ୍କ ଦର୍ଶନ ଓ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ଭକ୍ତ ଶ୍ରଦ୍ଧାଳୁଙ୍କ ପୁଣ୍ୟ ହୋଇଥାଏ ବୋଲି ଲୋକପ୍ରଥା ପ୍ରଚଳିତ ରହିଛି। ଏହି ଶ୍ରାବଣ ମାସରେ ବେଲପତ୍ର ସହ ଶିବଙ୍କ ଉପାସନା ବେଶ ଫଳଦାୟୀ। ଦକ୍ଷିଣ ଓଡିଶା ତଥା ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ରୂପେ ପରିଚିତ ଥିବା ପୁଡୁଗେଶ୍ୱର ଓ ସୁବର୍ଣ୍ଣେଶ୍ୱର ଶୈବପୀଠ ନିକଟରୁ ବିଭିନ୍ନ ଅଞ୍ଚଳର ମାନସିକଧାରୀ ବୋଲବମ୍ ଭକ୍ତମାନେ ଜଳାଭିଷେକ ଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଛି। ଆସିକା ପୌର ପରିଷଦ ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଶ୍ରୀ ଶ୍ରୀ ମହାବୀର ବୋଲ୍ବମ୍ ଯୁବକ ସଂଘର ଏହି ଜଳଯାତ୍ରା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶ୍ରଦ୍ଧାଳୁ ଭକ୍ତ ସୋନୁ ବେହେରା , କେଦାର ବେହେରା, ନିଖିଳ ବେହେରା, ରୋହନ ଆଚାରୀ, ଶିବ ଆଚାରୀ, ତ୍ରିପତି ଆଚାରୀ ପ୍ରମୁଖ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଥିଲା ।


