ଆସିକା ଗସ୍ତରେ ବିଧାନସଭା ଗୃହ କମିଟି

ଆସିକା(ୱାଇଏନ୍‍ଏସ୍‍): ଓଡିଶା ବିଧାନସଭାର ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ଲକ୍ଷ୍ମଣ ବାଗ୍‍ଙ୍କ ସମେତ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ବିଧାୟକ ଆସନ୍ତାକାଲି ଆସିକା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ବିଧାନସଭା ଗୃହ କମିଟିର ସଦସ୍ୟମାନେ ଆସନ୍ତାକାଲି ଅର୍ଥାତ୍‍ ଗୁରବାର ଆସିକା ଗସ୍ତରେ ଆସି ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ଲକ୍ଷ୍ମୀବଜାର ଅଞ୍ଚଳର ଜବରଦଖଲକାରୀଙ୍କ କବ୍‍ଜାରେ ଥିବା ଟିପିସର ନାଳର ପରିଦର୍ଶନ କରିବା ସାଙ୍ଗକୁ ବଡନଦୀ ଓ ଋଷିକୁଲ୍ୟା ନଦୀ ଉପରେ ହେବାକୁ ଥିବା ଉଚ୍ଚସ୍ତରୀୟ ସେତୁୁ, ଆସିକା ସହର ବାହାରେ ହେବାକୁ ଥିବା ବାଇପାସ୍‍ ରାସ୍ତା ନିର୍ମାଣ, କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ମଣ୍ଟାପଡା ଡେମ୍‍, ଋଷିକୁଲ୍ୟା ନଦୀ ଚେକ୍‍ଡେମ୍‍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ବିଧାୟକ ସରୋଜ କୁମାର ପାଢୀଙ୍କ ଉଦ୍ୟମକ୍ରମେ ବିଧାନସଭା ଗୃହ କମିଟି ଐତିହ୍ୟ ଓ ସଂସ୍କୃତିସଂପନ୍ନ ଆସିକା ଅଞ୍ଚଳକୁ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏହାକୁ ସଚେତନ ନାଗରିକ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ବିଧାନସଭା ଗୃହ କମିଟିର ସଦସ୍ୟମାନଙ୍କୁ ଆସିକାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଗସ୍ତକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି । ଆସିକାରେ ସମସ୍ତ ପ୍ରକାର ଭିତ୍ତିଭୂମୀର ସୁବିଧା ଥିବା ବେଳେ ଏହି ପୁରାତନ ଅଞ୍ଚଳକୁ ଉପଖଣ୍ଡର ମାନ୍ୟତା ପ୍ରଦାନ ଦିଗରେ ବିଧାନସଭା ଗୃହ କମିଟି ସହୃଦୟତାର ସହ ବିଚାର କରିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ