ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା : ପୁଣି ଜଣେ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଙ୍କୋରଡ଼ା ଗ୍ରାମର ହିରୋଜ ସେଠୀ ଙ୍କୁ ଦାଦା ବଟି ମାଗି ୪,୫୦୦ ଟଙ୍କା ଛଡ଼ାଇ ନେବା ସହ ତାଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରେ କଙ୍କୋରଡ଼ା ଗ୍ରାମର ଭୋଳି ଓରଫ ଭୋଳା ଶଙ୍କର ବରାଡ଼ ଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୬୭/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାର ରାତି ପ୍ରାୟ ସାଢେ ୯ ଟାରେ ହିରୋଜ୍ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଗ୍ରାମର ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ପୋଖରୀ ନିକଟରେ ଅଭିଯୁକ୍ତ ଏବଂ ଅନ୍ୟ ୨ ଜଣ ସହଯୋଗୀ ତାଙ୍କୁ ଜବରଦସ୍ତ ଅଟକାଇ ଗାଳି କରିବା ସହ ଧମକ ଦେଇ ଦାଦା ବଟି ମାଗିଥିଲେ। ସେ ପ୍ରତିବାଦ କରିବାରୁ ସମସ୍ତେ ତାଙ୍କୁ ଘେରି ଯାଇ ତାଙ୍କ ମୁଣ୍ଡ ଫଟାଇ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କ ସାର୍ଟ ପକେଟ ରୁ ୪,୫୦୦ ଟଙ୍କା ସେମାନେ ଛଡାଇ ନେଇଯାଇଥିଲେ। ଏନେଇ ହିରୋଜ ପାଟପୁର ଥାନା ରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଏହି ଘଟଣାରେ ସୋମବାର କଙ୍କୋରଡ଼ା ଗ୍ରାମର ପେସାଦାର ଅପରାଧି ରାମଚନ୍ଦ୍ର ସେଠୀ ଏବଂ କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଥିଲେ। ଏହି ଛିନ୍ ତାଇ ଓ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ଙ୍କ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।


