ଅଟୋ ଚାଳକ ଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ : ୯ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ ରବିବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ  ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିଲା। ୧୨ ରୁ ଉର୍ଦ୍ଧ୍ବ ସଶସ୍ତ୍ର ଯୁବକଙ୍କ ମରଣାନ୍ତକ ଆକ୍ରମଣ ରେ ସେ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ସୋମବାର ପାଟପୁର ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୧୭୨/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା-୧୯୧(୨)/୧୯୧(୩)/୬୧(୨)/୧୯୦/୧୦୯(୧)/୨୯୬/୩୫୧(୩)/୧୧୮(୧)/୧୧୮(୨)/୧୧୫(୨/୩୩୩ ଏବଂ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଇନର ଧାରା – ୨୫(୧ଏ)/୨୭ ଅନୁଯାୟୀ  ହିଞ୍ଜିଳି ଥାନା ବଳରାମପୁର ନୂଆସାହି ର ବେଣୁପାଣି ସେଠୀ, ଆଙ୍କୋରଡ଼ା ଗ୍ରାମ କାଳୁଆ ସାହିର ଟୁନା ସେଠୀ,  ପାଟପୁର ଥାନା କଙ୍କୋରଡ଼ା ଗ୍ରାମର କିରଣ ଗୌଡ଼,ଅଶ୍ଵିନୀ ପ୍ରଧାନ,ଚନ୍ଦନ ପାଢ଼ୀ,ଅନନ୍ତ ବିଷୋୟୀ,ଚନ୍ଦନ ପରିଡ଼ା,ମହେନ୍ଦ୍ର ବେହେରା,ଡମ୍ବରୁ ଜେନା ଙ୍କୁ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଗୁରୁବାର ରାତି ରେ କଙ୍କୋରଡ଼ା ଗ୍ରାମ ପାଇକସାହି ର ଅଶୋକ ନିଜ ବାଇକ କୁ ଘର ସମ୍ମୁଖରେ ରଖି ଶୋଇଥିଲେ। ବାଇକ ରୁ ଚାବି ଆଣିବାକୁ ଭୁଲି ଯାଇଥିଲେ।ସକାଳେ ବାଇକ ରେ ଚାବି ଲାଗି ନଥିବାରୁ ଅଶୋକ ଘରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିଥିଲେ। ଗ୍ରାମର ଅନନ୍ତ ବିଷୋୟୀ,କିରଣ ଗୌଡ଼,ରୁଦ୍ର ପାଣିଗ୍ରାହୀ ଏବଂ ଅନ୍ୟ କିଛି ଯୁବକ ବିଳମ୍ବିତ ରାତିରେ ତାଙ୍କ ଘର ପାଖକୁ ଆସି ବାଇକ୍ ରୁ ଚାବି ନେଇଥିବା ଜଣାପଡିଥିଲା।ଅଶୋକ ସେମାନଙ୍କୁ ଡକାଇ ବାଇକ ଚାବି ଫେରାଇ ଦେବାକୁ କହିଥିଲେ। ସେମାନେ ବାଇକ ଚାବି ନେଇନଥିବା କହିବାରୁ ସେ ସେମାନଙ୍କ ନାଁ ରେ ଥାନାରେ ଏତଲା ଦେବାକୁ କହିଥିଲେ। ତଥାପି ସେମାନେ ବାଇକ ଚାବି ନ ଫେରାଇବା କାରଣରୁ ଅଶୋକ ଶୁକ୍ରବାର ଥାନାରେ ଏତଲା ଦେଇଥିଲେ।ଏତଲା କୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନା ମାମଲା ନଂ.୧୬୭/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ପରେ ସେମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା – ୩୫(୩) ଅନୁଯାୟୀ ନୋଟିସ କରି ଥାନାରୁ ଛାଡି ଦେଇଥିଲେ। ଏଥିରେ ସେମାନେ ଉତ୍ତେଜିତ ହୋଇ ଅଶୋକ ଙ୍କୁ ଆକ୍ରମଣ ପାଇଁ ଯୋଜନା କରିଥିଲେ। ସନ୍ଧ୍ୟାରେ ଅଶୋକ ଅଟୋ ରେ କିଛି ବ୍ୟକ୍ତି ଙ୍କୁ ନେଇ ବ୍ରହ୍ମପୁର ରେ ଛାଡ଼ି ଗାଁ କୁ ଫେରୁଥିବା ବେଳେ ବ୍ରହ୍ମପୁର ସଦର ଥାନା ନଳୀହାଡ଼ ଗ୍ରାମ ନିକଟରେ ୩ ଟି ବାଇକ ରେ ସେମାନେ ତାଙ୍କୁ ପିଛା କରି ଆକ୍ରମଣ ଉଦ୍ୟମ କରିଥିଲେ। କିନ୍ତୁ ସୌଭାଗ୍ୟ ବଶତଃ ଅଶୋକ ସେଠାରୁ ଖସି ଆସି ପରଦିନ ବ୍ରହ୍ମପୁର ସଦର ଥାନାରେ ପହଞ୍ଚି ଏତଲା ଦେଇଥିଲେ। ରବିବାର ଗଜପତି ଜିଲା ପର୍ଯ୍ୟଟନ କ୍ଷେତ୍ର ଜିରାଙ୍ଗ ଠାରେ କଙ୍କୋରଡ଼ା ଗ୍ରାମର ଅଶ୍ଵିନୀ ପ୍ରଧାନ ତାଙ୍କ ବହୁ ସଂଖ୍ୟକ ସାଙ୍ଗକୁ ଡକାଇ  ଜନ୍ମଦିନ ପାଳନ କରିବା ସହ ଭୋଜି କରିଥିଲେ।ସେଠାରେ ସମସ୍ତେ ମଦ୍ୟପାନ କରି ଭୋଜି ଖାଇବା ପରେ ଅଶୋକ ଙ୍କୁ ହତ୍ୟା ପାଇଁ ବିସ୍ତୃତ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସନ୍ଧ୍ୟା ରେ ସେଠାରୁ ଫେରି ଯୋଜନାବଦ୍ଧ ଭାବେ ଅଶୋକ ଙ୍କୁ ମରଣାନ୍ତକ ଆକ୍ରମଣ କରି ହୁଣ୍ଡାଇ ଆଉରା କାର (ନଂ. ଓଡ଼ି୦୨ ବିଏମ୍ -୬୧୪୩) ଏବଂ ମାରୁତି ସୁଜକି ବଲେନୋ କାର (ନଂ. ଓଡ଼ି୦୭ ଏ ଏଚ୍ -୬୯୯୭) ଯୋଗେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ। ଏନେଇ ସୋମବାର ସକାଳେ ଅଶୋକ ଙ୍କ ଭାଇ ବଂଶୀଧର ବିଷୋୟୀ ପାଟପୁର ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯିବା ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ଫେରିଥିଲେ। ତଦନ୍ତକାରୀ ଅଧିକାରୀ ବ୍ରହ୍ମପୁର ଲୋଚାପଡ଼ା ଶକ୍ତି ନଗର ୩ ୟ ଲେନ୍ ର ଏକ ଘରେ ଚଢାଉ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ  ସେମାନଙ୍କ ଠାରୁ ଏହି ଘଟଣାରେ ବ୍ୟବହୃତ ୨ ଟି କାର୍, ୬ ଟି ମୋବାଇଲ ଫୋନ୍,୨ ଟି ଖଣ୍ଡା,ହକି ଷ୍ଟିକ୍ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ