ଅସୁରକ୍ଷିତ ଘରେ ଚାଲିଛି ବଡ଼ରମ୍ପାସ ପ୍ରାଣୀ ଚିକିତ୍ସାଳୟ
ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ଅଧିନସ୍ଥ ବଡ଼ରମ୍ପାସ ଗ୍ରାମରେ ଥିବା ପ୍ରାଣୀ ଚିକିତ୍ସାଳୟଟି ଏକ ଅସୁରକ୍ଷିତ ଘରେ ଚାଲୁଥିବା ବେଳେ ଏହାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିଛି। ଚିକିତ୍ସାଳୟର ଛାତରୁ ପ୍ଲାଷ୍ଟର ଖସୁଥିବାରୁ ସେଠାରେ କାର୍ଯ୍ୟରତ କର୍ମଚାରୀ ଓ ଚିକିତ୍ସା ପାଇଁ ପଶୁ ପକ୍ଷୀଙ୍କୁ ଧରି ଆସୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ଦୁଇଟି ପଞ୍ଚାୟତ ର ୧୩ ଟି ଗ୍ରାମର ଲୋକ ନିର୍ଭର କରିଥାନ୍ତି। ୧୦/୧୨ ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ପ୍ରାଣୀ ଚିକିତ୍ସାଳୟ ଗୃହ ନିର୍ମାଣ କରାଯାଇ ଥିଲା। କିନ୍ତୁ ଅତି ନିମ୍ନ ମାନର କାମ ଯୋଗୁଁ ତାହା ଦିନ କେଇଟା ଭିତରେ ଅସୁରକ୍ଷିତ ହୋଇ ପଡିଲା। ଟିକେ ଜୋର ସୋରରେ ପବନ ହେଲେ ଘରଟି ଦୋହଲୁଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏପରିକି ବର୍ଷା ଦିନରେ ଛାତରୁ ପାଣି ଝରିବା ସହ ଛାତ ଓ କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଅନେକ ସମୟରେ ଛାତରୁ ପ୍ଳାଷ୍ଟର ଖସୁଥିବାରୁ ଘର ଭିତରକୁ ଯିବାକୁ ଭୟ ଲାଗୁଛି। ଏଭଳି ଜରାଜୀର୍ଣ୍ଣ ଘରେ ପ୍ରାଣୀ ଚିକିତ୍ସା ସେବା ଜାରି ରହିବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଏହି ଚିକିତ୍ସାଳୟ ଉପରେ ଆଖପାଖ ଅଞ୍ଚଳର ବହୁ ପଶୁପାଳକ ନିର୍ଭର କରୁଥିବାରୁ ଏହାର ତୁରନ୍ତ ମରାମତି କିମ୍ବା ଏକ ନୂତନ ଗୃହ ନିର୍ମାଣର ଆବଶ୍ୟକତା ରହିଛି। ତେଣୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ଘଟଣାରେ ଦୃଷ୍ଟି ଦେଇ ବଡ଼ରମ୍ପାସ ପ୍ରାଣୀ ଚିକିତ୍ସାଳୟର ସୁବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


