ତ୍ରିସିକାର ଚିକିତ୍ସା ସହାୟତା ପାଇଁ ଅଣ୍ଟା ଭିଡ଼ିଲେ କଲେଜ ଛାତ୍ରଛାତ୍ରୀ

ହାଟଡିହି, (ଓ୍ବାଇଏନଏସ): ଅସହାୟ ଶିଶୁର ଚିକିତ୍ସା ପାଇଁ ଆଗେଇ ଆସିଲେ କଲେଜ ଛାତ୍ରଛାତ୍ରୀ। ମାନବିକତାର ପରିଚୟ ଦେଇ ଯାଜପୁର ଜିଲ୍ଲାର ୧୬ ମାସର ଶିଶୁ ତ୍ରିସିକାର ଚିକିତ୍ସା ସହାୟତା ପାଇଁ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଣ୍ଟା ଭିଡ଼ିଛନ୍ତି। ଦୁରାରୋଗ୍ୟରେ ପୀଡ଼ିତ ଏହି ଶିଶୁର ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଆବଶ୍ୟକତା ଥିବା ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ସହାୟତାର ସୁଅ ଛୁଟିଛି। ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଛକ ଓ ବଜାର ବୁଲି ତ୍ରିସିକାର ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ମାନବିକ ପ୍ରୟାସକୁ ସ୍ଥାନୀୟ ଲୋକେ ମଧ୍ୟ ସମର୍ଥନ ଜଣାଇବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସ୍ୱଇଚ୍ଛାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। କଲେଜର ଯୁକ୍ତଦୁଇ ଛାତ୍ର ମାନସ କୁମାର କାଣ୍ଡି, ସନାତନ ପଣ୍ଡା, ବୁବୁନ ପାତ୍ର, ସୁଜିତ କୁମାର ନାୟକ, ତପୁ ଜେନା, ଲିପୁ ଜେନା, ସୌମ୍ୟରଞ୍ଜନ ପାତ୍ର, କୈଳାସ ସ୍ୱାଇଁ ଓ ନମିତା ତ୍ରିପାଠୀଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅନଲାଇନ୍ ମାଧ୍ୟମରେ ମିଳୁଥିବା ସହାୟତା ସିଧାସଳଖ ଶିଶୁର ଆକାଉଣ୍ଟକୁ ଯାଉଥିବା ବେଳେ ଛକ ବଜାରରୁ ସଂଗ୍ରହ ହେଉଥିବା ଅର୍ଥ ଶିଶୁର ପରିବାରକୁ ଯାଇ ପ୍ରଦାନ କରାଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଜଣେ ଅସହାୟ ଶିଶୁର ଜୀବନ ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଏହି ଉଦ୍ୟମ ସମାଜରେ ମାନବିକତା ଓ ପରୋପକାରର ଏକ ଉଦାହରଣ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ