କରଗୋଳାରେ ବୈତରଣୀ ନଦୀ ସୁରକ୍ଷା ବୈଠକ
ହାଟଡିହି (ଓ୍ବାଇଏନଏସ): ବୈତରଣୀ ଏକ ପ୍ରବାହ। କେନ୍ଦୁଝର ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ପରିଚୟ ହେଉଛି ଏହି ନଦୀ। ତେବେ ବୈତରଣୀ ଆଜି ବିଭିନ୍ନ ସ୍ଥାନରେ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ଆଜି ବୈତରଣୀ ନଦୀର ସୁରକ୍ଷା ତଥା ବାଲି ଲୁଟ୍ ବିରୋଧରେ ହାଟଡିହି ତହସିଲ ଅଧୀନ କରଗୋଳା ଠାରେ ଏକ ବୈଠକ ଆୟୋଜିତ ହୋଇଥିଲା। ବିଶିଷ୍ଟ କୃଷକ ନେତା ଗୋପାଳ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈତରଣୀ ଆମ ମା, ତାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ। ବିଜେପି ଯୁବନେତା ଯଜ୍ଞ ପ୍ରସାଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଥିବା ବାଲି ସତ୍ୟାଗ୍ରହ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଲେ, ଏହି ସତ୍ୟାଗ୍ରହ ଆଜି ସାରା ଓଡ଼ିଶାରେ ଆନ୍ଦୋଳନର ଏକ ନୂଆ ପରିଭାଷା ସୃଷ୍ଟି କରିଛି। ହାଟଡିହି ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସାମାଜିକ କର୍ମୀ ସତ୍ୟବ୍ରତ ଜେନା , ଯୁବନେତା ଶଶି ଭୂଷଣ ରାଉତ, ପୂର୍ବତନ ସରପଞ୍ଚ ଅମରେନ୍ଦ୍ର ଧଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ବୈଠକ ରେ ଗ୍ରାମର ଶତାଧିଜ ଗ୍ରାମବାସୀ ଉପସ୍ଥିତ ଥିଲେ।


