ଭୂତପଦା-ଅପସର ପ୍ରାଥମିକ ବିଦ୍ୟାଳୟ:ପ୍ରଥମରୁ ଅଷ୍ଟମ ଯାଏ ଅଧ୍ୟୟନ କରିବେ ଛାତ୍ରଛାତ୍ରୀ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ ଅନ୍ତର୍ଗତ ଭୂତପଦା-ଅପସର ପ୍ରାଥମିକ ବିଦ୍ୟାଳୟର ନବୀକରଣ ପାଇଁ ସରକାରୀ ଚିଠି ଆସିବା ପରେ ଗ୍ରାମବାସୀମାନଙ୍କ ମଧ୍ଯରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଏହି ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ସରକାରୀ ଭାବେ ଥିବାବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନଥିଲା I ଗ୍ରାମରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ,ବିଶିଷ୍ଠ ଶିକ୍ଷାବିତ୍ ନୃସିଂହ ଚରଣ ପଣ୍ଡା ,ଗ୍ରାମବାସୀ ଓ ବୁଦ୍ଧିଜୀବୀମାନଙ୍କ ଉଦ୍ୟମରେ ୧୯୯୧ ମସିହାରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିଲା। ସରକାରଙ୍କ ନୀତିନିୟମ ଅନୁଯାୟୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନୂତନ ଶିକ୍ଷକ ନିଯୁକ୍ତି ନଥିବାରୁ ଏହି ବିଦ୍ୟାଳୟର ଥିବା ଦୁଇ ଜଣ ଶିକ୍ଷକଙ୍କ ଅବସର ପରେ କିଛି ବର୍ଷ ହେବ ବିଦ୍ୟାଳୟଟି ବନ୍ଦ ହୋଇଯାଇଥିଲା ।ଯାହା ଫଳରେ ଏଠାରେ ଶିକ୍ଷାଗ୍ରହଣ କରୁଥିବା ୫୦ ରୁ ଅଧିକ ଛାତ୍ରଛାତ୍ରୀ ନିକଟସ୍ଥ ଇଞ୍ଚୋଳ ଓ ବ୍ରାହ୍ମଣୀକଳା ବିଦ୍ୟାଳୟରେ ନାମ ଲେଖାଇବା ସହ ଦୂରତା ବୃଦ୍ଧି ହେତୁ କିଛି ଛାତ୍ରଛାତ୍ରୀଙ୍କର ପାଠପଢାରେ ଡୋରୀ ବନ୍ଧା ହୋଇଥିଲା । ଭୂତପଦା-ଅପସର ଗ୍ରାମବାସୀ, ବିଶିଷ୍ଠ ଶିକ୍ଷାବିତ୍ ନୃସିଂହ ଚରଣ ପଣ୍ଡା ଅଭିଭାବକ, ବୁଦ୍ଧିଜୀବୀ ଓ ବିଶେଷ ଭାବେ ସାମାଜିକ କର୍ମୀ ଚନ୍ଦନ ପଣ୍ଡାଙ୍କ ସହଯୋଗରେ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଗତ ୪ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ ।ପୂର୍ବ ସରକାର ଏହାକୁ ଧ୍ୟାନ ଦେଉନଥିବା ବେଳେ ନୂତନ କରି ଲୋକଙ୍କ ସରକାର ତଥା କେନ୍ଦୁଝର ମାଟିର ପୁଅ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ କେନ୍ଦୁଝର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଦାୟିତ୍ବ ନେବା ପରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ସହ ବିଚାର କରି ଏହାର ଆଶୁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅନୁଧ୍ୟାନ କରାଯିବା ପରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ତାଙ୍କର ଚିଠି ସଂଖ୍ୟା – ୮୫୯୭/୨୫ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଳା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷାକୁ ଚିଠି ଲେଖି ଏହାକୁ ଆନୁଷ୍ଠାନିକ ସ୍ୱୀକୃତି ଦେବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଫଳରେ ଏବେ ପ୍ରାଥମିକ ବିଦ୍ୟାଳୟଟି ନବୀକରଣ ହେବା ସହ ଏଠାରେ ପ୍ରଥମରୁ ଅଷ୍ଟମ ଯାଏ ଛାତ୍ରଛାତ୍ରୀମାନେ ଗାଁ ବିଦ୍ୟାଳୟରେ ଶିକ୍ଷାଲାଭ କରିପାରିବାର ସୁଯୋଗ ସୃଷ୍ଟି ହୋଇଛି । ଲୋକଙ୍କ ସରକାର ଗାଁର ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏଭଳି ଏକ ମହତ ପଦକ୍ଷେପ ଗ୍ରହଣ କରିଥିବାରୁ ଗ୍ରାମବାସୀମାନେ କେନ୍ଦୁଝର ମାଟିର ସୁଯୋଗ୍ଯ ସନ୍ତାନ ଲୋକଙ୍କ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ , କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ସହଯୋଗ କରିଥିବା ପ୍ରମୁଖ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏବଂ ବିଦ୍ୟାଳୟର ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଦୃଷ୍ଟିଦେବାକୁ ଅନୁରୋଧ କରିଛନ୍ତି ପୂର୍ବ ସରକାର ଶିକ୍ଷା କ୍ଷେତ୍ରରେ ଅବହେଳା ଓ ଲୋକଙ୍କ କଥାକୁ କର୍ଣ୍ଣପାତ କରୁନଥିବାରୁ ଅସନ୍ତୋଷ କୁହୁଳିବାରେ ଲାଗିଥିଲା । ନୂଆ ସରକାର ତତକ୍ଷଣାତ ଏହାର ସମାଧାନ କରିଥିବାରୁ ଗ୍ରାମବାସୀମାନଙ୍କ ମଧ୍ଯରେ ଖୁସିର ଲହରୀ ଖେଳି ଯାଇଛି ।


