ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
ନାଉଗାଁ (ପ୍ରଦୋଷ ମହାନ୍ତି) ଯୁବପିଢ଼ି କେବଳ ସରକାରୀ ଚାକିରି ପଛରେ ନ ଗୋଡ଼ାଇ ନିଜେ କର୍ମନିଯୁକ୍ତି ସୃଷ୍ଟି କରି ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରର ସୁଯୋଗ ଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମତବ୍ୟକ୍ତ କରିଛନ୍ତି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ବୁଧବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାକୁ ବିଧାୟକ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଓ କୃଷି ବିଭାଗର ବିଭିନ୍ନ ଯୋଜନାର ସୁଯୋଗ ନେଇ ଅଞ୍ଚଳର ଅନେକ ବ୍ୟକ୍ତି ରୋଜଗାରକ୍ଷମ ହୋଇପାରିଛନ୍ତି। ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ସାଜିଛନ୍ତି ବୋଲି ବିଧାୟକ କହିଥିଲେ। ଗୋପାଳନ ସହ ଘାସଚାଷ, ପଞ୍ଚାୟତ ଓ ଗ୍ରାମ୍ୟ ପୋଖରୀ ତଥା ନିଜସ୍ୱ ପୋଖରୀରେ ମାଛଚାଷ କରି ସରକାରୀ ଯୋଜନା ମାଧ୍ୟମରେ କିପରି ଅଧିକ ଲାଭବାନ ହୋଇପାରିବେ, ସେ ସମ୍ପର୍କରେ ଅତିଥି ଓ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ମେଳାରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ କୃଷି ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ଓ ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା। ଚାଷୀମାନେ ସରକାରୀ ଯୋଜନାରେ ଉତ୍ପାଦନ କରିଥିବା ମାଛ, କୁକୁଡ଼ା ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। ଏଥିସହ ଅତ୍ୟାଧୁନିକ ଗାଈ ଦୁହିଁବା ମେସିନ୍, ଟ୍ରାକ୍ଟର ଓ ଧାନ ଅମଳ ଯନ୍ତ୍ର ଆଦି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ବିଡିଓ ନିରଞ୍ଜନ ପରିଡ଼ା, ତହସିଲଦାର ଅକ୍ଷୟ ବଡ଼ୁ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଜଳଧର ପ୍ରଧାନ, ଏଡିଭିଓ (ଡିସି) ଡା. ପ୍ରଭୁଦତ୍ତ ଦାସ, ଡା. ଭି. ସୁନୟନା ଶିବାନୀ, ବ୍ଲକ କୃଷି ଅଧିକାରୀ ଯୁଗସ୍ମିତା ପାତ୍ର, ଜଗତସିଂହପୁର ବ୍ଲକ ମତ୍ସ୍ୟ ଅଧିକାରୀ ଆକାଂକ୍ଷା ଦାସ ଓ ନାଉଗାଁ ବ୍ଲକ ମତ୍ସ୍ୟ ଅଧିକାରୀ ରଶ୍ମି ରଞ୍ଜିତା ପଣ୍ଡା ଯୋଗଦେଇଥିଲେ। ସୁକାନ୍ତ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସ୍ମୃତି ରଞ୍ଜନ ବାରିକ, ଏବିଡିଓ ଦିନେଶ ରାୟ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ରଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ପ୍ରାଣୀ ଚିକିତ୍ସାଳୟର ପ୍ରାଣୀଧନ ନିରୀକ୍ଷକ ଏବଂ ମତ୍ସ୍ୟ ଓ କୃଷି ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।


