ବିଳମ୍ବିତ ରାତିରେ ଫୁଟିଲା ବୋମା, ଭାଙ୍ଗିଲା ଗ୍ୟାରେଜ୍‌ର ସିଲିଂ ଓ ଘରର କାନ୍ଥ

କଟକ, (ଓ୍ବାଇଏନଏସ): କଟକ ଜଗତପୁର ଥାନା ଅନ୍ତର୍ଗତ ଗୋପୀନାଥପୁରରେ ବୋମାମାଡ଼ ଘଟଣାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା। ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଦ୍ୱାରା ତିନୋଟି ବୋମା ବିସ୍ଫୋରଣ ହେବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏହି ବୋମାମାଡ଼ରେ ଗୋଟିଏ ଗ୍ୟାରେଜ୍‌ର ସିଲିଂ ଭାଙ୍ଗିଥିବା ବେଳେ ଅନ୍ୟ ଏକ ଘରର କାନ୍ଥ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଗୋପୀନାଥପୁରରେ ଅବସ୍ଥିତ ମିର୍ଜା ଜାକୀର ବେଗଙ୍କ ଗ୍ୟାରେଜ୍‌କୁ ଲକ୍ଷ୍ୟ କରି ବୋମାମାଡ଼ କରାଯାଇଥିଲା। ବିସ୍ଫୋରଣରେ ଗ୍ୟାରେଜ୍‌ର ସିଲିଂ ଭାଙ୍ଗିଯାଇଥିବା ବେଳେ ଲକ୍ଷ୍ମୀନୃସିଂହ ସପ୍ଲାୟର୍ସର ମାଲିକ ଦେବରାଜ ପୃଷ୍ଟିଙ୍କ ଘରର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରାତିର ନିରବତା ମଧ୍ୟରେ ଲଗାତାର ବିସ୍ଫୋରଣ ଶବ୍ଦରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବୋମାମାଡ଼ ପରେ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଜଗତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ବୋମାମାଡ଼ ପଛରେ କାହାର ହାତ ରହିଛି ଏବଂ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଜନବସତି ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ଭୟର ପରିବେଶ ଲାଗି ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ