ସ୍ଥାୟୀ କୃଷି ଓ ପରିବେଶ ସୁରକ୍ଷା ଲକ୍ଷ୍ୟରେ ୩୨୬ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ

କଟକ, (ଓ୍ବାଇଏନଏସ): କୃଷି ଅବଶିଷ୍ଟକୁ ଅଦରକାରୀ ଭାବେ ନଦେଖି ଏହାକୁ ମୂଲ୍ୟବାନ ସମ୍ପଦରେ ପରିଣତ କରିବା ସହ ପରିବେଶ ଅନୁକୂଳ ଓ ସ୍ଥାୟୀ କୃଷିର ପ୍ରସାର ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇସିଏଆର-ସିଆରଆରଆଇ), କଟକ। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସହଯୋଗରେ OIIPCRA ପ୍ରକଳ୍ପ ଅଧୀନରେ ୧୪ଟି ପର୍ଯ୍ୟାୟରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୋଟ ୩୨୬ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ପ୍ରଶିକ୍ଷଣରେ ଧାନ ନଡ଼ାର ବୈଜ୍ଞାନିକ ପରିଚାଳନା, ଆଧୁନିକ ଜ୍ଞାନକୌଶଳ ଏବଂ ଏହାର ବ୍ୟବହାରିକ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଧାନ ନଡ଼ାରୁ ଜୈବିକ ଖତ ପ୍ରସ୍ତୁତି, ଅଣୁଜୀବ ଆଧାରିତ ନଡ଼ା ବିଘଟନ ଏବଂ ପରିବେଶ ଅନୁକୂଳ ଜୈବ ଅବକ୍ଷୟଶୀଳ ପେଲେଟ୍ ଉତ୍ପାଦନ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ପ୍ରାୟୋଗିକ ଜ୍ଞାନ ଦିଆଯାଇଛି। ଏଥିସହ ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଓ କୃଷି ଅବଶିଷ୍ଟରୁ ଉଦ୍ୟୋଗ ସୃଷ୍ଟି ସମ୍ପର୍କରେ ମଧ୍ୟ ତାଲିମ ଦିଆଯାଇଛି। ପ୍ରକଳ୍ପ ଅଧୀନରେ ଓଡ଼ିଶାର ୧୫ଟି ଜିଲ୍ଲାର ପ୍ରାୟ ୭,୫୦୦ ହେକ୍ଟର ଜମିରେ ଧାନ ନଡ଼ାର ସୁପରିଚାଳନା ସହ ଏହାକୁ ଜୈବିକ ଖତରେ ପରିଣତ କରିବାର ଲକ୍ଷ୍ୟ ରହିଛି। ଏହାସହ ଧାନ ନଡ଼ା ଆଧାରିତ ଉଦ୍ୟୋଗ ମାଧ୍ୟମରେ ୧୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆର୍ଥିକ ଭାବେ ସଶକ୍ତ କରିବାକୁ ଯୋଜନା କରାଯାଇଛି। ପ୍ରଶିକ୍ଷଣ ପରେ ଅଂଶଗ୍ରହଣକାରୀଙ୍କ ଜ୍ଞାନସ୍ତର ୫୬ ପ୍ରତିଶତରୁ ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଞ୍ଚିଛି। ସେହିପରି ୯୩ ପ୍ରତିଶତ ଅଂଶଗ୍ରହଣକାରୀ ନିଜ ଜମିରେ ଧାନ ନଡ଼ା ଅବଶିଷ୍ଟ ପରିଚାଳନା ପଦ୍ଧତି ଆପଣାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟ ଧାନ ନଡ଼ାରୁ ଜୈବ ଅବକ୍ଷୟଶୀଳ ପେଲେଟ୍ ଓ ଜୈବିକ ଖତ ଉତ୍ପାଦନକୁ ଆୟବର୍ଦ୍ଧକ ଉଦ୍ୟୋଗ ଭାବେ ଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି। ତେବେ ଏହି ଉତ୍ପାଦଗୁଡ଼ିକର ବାଣିଜ୍ୟିକ ସଫଳତା ପାଇଁ ଉପଯୁକ୍ତ ବଜାର ସଂଯୋଗ, ବିପଣନ ବ୍ୟବସ୍ଥା ଓ ଉତ୍ପାଦ କ୍ରୟର ସୁନିଶ୍ଚିତତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରକଳ୍ପର ମୁଖ୍ୟ ଗବେଷକ ଡ. ପି. ପନ୍ନୀରସେଲଭମ୍ ଏବଂ ଫସଲ ଉତ୍ପାଦନ ବିଭାଗର ମୁଖ୍ୟ ଡ. ପ୍ରତାପ ଭଟ୍ଟାଚାର୍ଯ୍ୟଙ୍କ ସମେତ ଅନୁଷ୍ଠାନର ବୈଜ୍ଞାନିକ ଦଳ ସମନ୍ୱୟ ଓ ପରିଚାଳନା କରିଥିଲେ। ଏହି ପଦକ୍ଷେପ ଦ୍ୱାରା ଫସଲ ଅବଶିଷ୍ଟ ପୋଡ଼ିବା ହ୍ରାସ ପାଇବା ସହ ମୃତ୍ତିକାର ଉର୍ବରତା ଓ ଜୈବିକ ଅଙ୍ଗାରକର ପରିମାଣ ବୃଦ୍ଧି, ପରିବେଶ ସୁରକ୍ଷା ଏବଂ ଗ୍ରାମାଞ୍ଚଳରେ ନୂତନ ରୋଜଗାର ସୃଷ୍ଟି ହେବାର ଆଶା ରହିଛି। ଧାନ ନଡ଼ାକୁ ଅବହେଳିତ କୃଷି ଅବଶିଷ୍ଟ ପରିବର୍ତ୍ତେ ଏକ ମୂଲ୍ୟବାନ ସମ୍ପଦରେ ପରିଣତ କରିବା ହିଁ ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ