ପୋଲିସ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ, ମୃତ୍ୟୁକାଳୀନ ସହାୟତା ୪୦ ଲକ୍ଷକୁ ବୃଦ୍ଧି ପାଇଁ ପୋଲିସ ସଂଘର ଦାବି

କଟକ, (ଓ୍ବାଇଏନଏସ): ରାଜ୍ୟ ପୋଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ ଓ ସ୍ୱାସ୍ଥ୍ୟବୀମା ଯୋଗାଇବା ସହ କର୍ତ୍ତବ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରକୁ ମିଳୁଥିବା ସହାୟତା ରାଶି ୧୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଛି। ଏ ନେଇ ଓଡ଼ିଶା ପୋଲିସ ଅଫିସର୍ସ ଆସୋସିଏସନ୍ ଓ ହାବିଲଦାର କନଷ୍ଟେବଳ ସିପାହୀ ମହାସଂଘ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ନିକଟରେ ଦାବି ରଖାଯାଇଛି।ସଂଘର ସମ୍ପାଦକ କିଶୋର ମହାନ୍ତି କହିଛନ୍ତି ଯେ, ପୋଲିସ କର୍ମଚାରୀମାନେ ଦୈନିକ ୧୮ରୁ ୧୯ ଘଣ୍ଟା ଡ୍ୟୁଟି କରିବା ସହ ଆବଶ୍ୟକ ସମୟରେ ୨୪ ଘଣ୍ଟିଆ ସେବା ଯୋଗାଉଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଖଣ୍ଡିଏ ସ୍ୱାସ୍ଥ୍ୟ କାର୍ଡର ବ୍ୟବସ୍ଥା ନାହିଁ। ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ମାସିକ ୬୦ ହଜାର ଟଙ୍କା ଦରମାରେ ପରିବାରର ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର। ଜଣେ କର୍ମଚାରୀ ଜୀବିତ ଥିବା ସମୟରେ ସ୍ୱାସ୍ଥ୍ୟ ସେବା ପାଇପାରୁନଥିବା ବେଳେ ମୃତ୍ୟୁ ପରେ ପରିବାରକୁ କୋଟି କୋଟି ଟଙ୍କାର ସହାୟତା ଦେଲେ କ’ଣ ଲାଭ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁରଠାରେ କର୍ତ୍ତବ୍ୟରତ ଅବସ୍ଥାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ଶହୀଦ ଘୋଷଣା କରିବାକୁ ସଂଘ ଦାବି କରିଛି। ଏଥିସହ ମୃତକଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ଗ୍ରୁପ୍-ସି ଚାକିରି ପ୍ରଦାନ ପାଇଁ ଦାବି ରଖାଯାଇଛି। ଓଡ଼ିଶା ପୋଲିସ ସଂଘର ସଭାପତି ଅସିତ ଜେନା କହିଛନ୍ତି ଯେ, ୧୯୮୬ ମସିହାରୁ ପୋଲିସ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ଲାଗୁ କରିବାକୁ ସରକାରଙ୍କ ନିକଟରେ ଦାବି ହୋଇଆସୁଛି। କିନ୍ତୁ ଏଯାବତ୍ ତାହା କାର୍ଯ୍ୟକାରୀ ହୋଇନାହିଁ। ସରକାର ତୁରନ୍ତ ସ୍ୱାସ୍ଥ୍ୟ କାର୍ଡ ଯୋଗାଇବା ଉଚିତ ବୋଲି ସେ କହିଛନ୍ତି। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରାଯାଇଛି। ବିଧାନସଭା ଅଧିବେଶନ ମଧ୍ୟରେ ଦାବି ପୂରଣ ନହେଲେ ପ୍ରାୟ ୭୦ ହଜାର ପୋଲିସ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଭୟ ସଂଘ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କିଶୋର ମହାନ୍ତି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ