କବି ପଦ୍ମଲୋଚନ ଦତ୍ତଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ

ବାଲେଶ୍ୱର,(ସରୋଜ ପଣ୍ଡା): ପୁସ୍ତକର ପାଠକ ସଂଖ୍ୟା ବୃଦ୍ଧି ପାଇଲେ ଓଡ଼ିଆ ଭାଷା ଓ ସାହିତ୍ୟକୁ ସଠିକ୍ ସୁରକ୍ଷା ଦିଆଯାଇପାରିବ ବୋଲି ବୁଧବାର ପୂର୍ବାହ୍ନରେ କବି ପଦ୍ମଲୋଚନ ଦତ୍ତଙ୍କ ଲିଖିତ ୩ଟି ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ‘ଦାରୁ ଦେବତା’, ‘ମିଛ ମାୟା’ ଓ ‘କବିତାଞ୍ଜଳି’ ଲୋକାର୍ପାଣ ଉତ୍ସବରେ ଅତିଥି ଓ ବକ୍ତାଭାବେ ଡ. ଭାଗବତ ପ୍ରସାଦ ଦାସ, ଡ. ରାଧାରଞ୍ଜନ ପଟ୍ଟନାୟକ ଓ କବି ଅଭୟ ଦାସ ଯୋଗଦେଇ ପୁସ୍ତକଗୁଡ଼ିକର ସମୀକ୍ଷା କରି ପରିଣତ ବୟସରେ ପଦ୍ମଲୋଚନ ଦତ୍ତଙ୍କର ସାହିତ୍ୟ ମାନସିକତାକୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଆ ପୁସ୍ତକଗୁଡ଼ିକର ପାଠକ ସଂଖ୍ୟା ବୃଦ୍ଧି ଉପରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ। ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ଦାମୋଦର ନାୟକ ଅଧ୍ୟକ୍ଷତା କରିଥିଲେ ଓ କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିôତଲେ। ଶ୍ରୀ ଦତ୍ତ ଲେଖକୀୟ ବକ୍ତବ୍ୟରେ କହିଥିଲେ ଯେ, ସମାଜରେ ଘଟୁଥିବା ଘଟଣା, ଦୁର୍ଘଟଣା ଓ ସମାଜରେ ମାନବିକ ମୂଲ୍ୟବୋଧ ହ୍ରାସ ପାଉଥିବାରୁ ସେ ତାଙ୍କ କବିତା ଓ ଗଳ୍ପଗୁଡ଼ିକରେ ସମାଜକୁ ଦିଗ୍‌ଦର୍ଶନ ଦେବାକୁ ଚେଷ୍ଟା କରିଛନ୍ତି। ପୂର୍ବରୁ ପ୍ରକାଶ ପାଇଥିବା ୧୮ଟି ପୁସ୍ତକର ସେ ସୂଚନା ଦେଇଥିଲେ।
ଶ୍ରୋତାମାନଙ୍କ ମଧ୍ୟରୁ ବେଣୁଧର ପାଳ, ବରେନ୍ଦ୍ର ନାଥ ସାହୁ, କୁମୁଦ ରଂଜନ ଗିରି, ପୁଷ୍ପଲତା ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ ଓ ଶରତ କୁମାର ବିଶ୍ୱାଳ ପ୍ରମୁଖ ଲେଖକ ଦତ୍ତଙ୍କର ବିଭିନ୍ନ ସାମାଜିକ ସ ସାଂସ୍କୃତିକ ସଂଗଠନରେ ସକ୍ରିୟ ସହଯୋଗକୁ ପ୍ରଶଂସା କରି ତାଙ୍କର ଦୀର୍ଘଜୀବନ କାମନା କରିଥିଲେ। ପଣ୍ଡିତ ସଂଜୟ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ