ଚିନ୍ମୟ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ଅନ୍ତଃରାଷ୍ଟ୍ରୀୟ ଚିନ୍ମୟ ମିଶନ୍ର ପ୍ରତିଷ୍ଠାତା ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀ ମହାରାଜଙ୍କ ବାଣୀକୁ ପ୍ରଚାର ଓ ପ୍ରସାର କରିବା ସାଙ୍ଗକୁ ଜନସାଧାରଣଙ୍କ ମଧ୍ୟରେ ଆଧ୍ୟାତ୍ମକ ଚିନ୍ତାଧାରା ଜାଗ୍ରତ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବାର ବାର୍ତ୍ତା ନେଇ ବୁଧବାର ଆସିକାରେ ଚିନ୍ମୟ ଅମୃତ ମହୋତ୍ସବ ପାଳନ କାର୍ଯ୍ୟକ୍ରମ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଚିନ୍ମୟ ମିଶନ୍ ଆସିକା ଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳନ ଅବସରରେ ଗତ ୨୦୨୫ ମସିହା ଡିସେମ୍ବର ମାସ ୩୧ ତାରିଖରୁ ପୁନେ ଠାରୁ ଅମୃତ ଯାତ୍ରା ଆରମ୍ଭ କରିଥିବା ଚିନ୍ମୟ ବିଭୁତି ରଥ ସ୍ଥାନୀୟ କଳିଙ୍ଗ ରୋଡ ସ୍ଥିତ ମା ଖମ୍ବେଶ୍ୱରୀଙ୍କ ମୁଖଶାଳା ନିକଟରେ ବୁଧବାର ପୂର୍ବାହ୍ନରେ ପହଞ୍ଚିବା ପରେ ବହୁ ଶ୍ରଦ୍ଧାଳୁ ଭକ୍ତ ବନ୍ଦାପନା ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ପଞ୍ଚାୟତର ରାଇପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଗୋପୀନାଥ ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟା ଏବଂ ଚିନ୍ମୟ ମିଶନ୍ ଆସିକା ଶାଖାର ଶତାଧୀକ ସଦସ୍ୟଙ୍କ ଗହଣରେ ଅମୃତ ଯାତ୍ରାରଥକୁ ଲକ୍ଷ୍ମୀ ବଜାର, ବିନାୟକ ବଜାର, ଖମ୍ବେଶ୍ୱରୀପାଟଣା, ମହାତ୍ମାଗାନ୍ଧୀ ରୋଡ, ବଜାର ସାହି, ଓଡିଆ ସାହି ଇତ୍ୟାଦି ଅଞ୍ଚଳ ପରିକ୍ରମା କରାଯାଇଥିଲା । ଚିନ୍ମୟ ଅମୃତ ମହୋତ୍ସବ ପାଳନ ଅବସରରେ ପୁନେରୁ ଆସିଥିବା ସୁସଜ୍ଜିତ ରଥ ଚିନ୍ମୟ ମିଶନ୍ ଆସିକା ଶାଖା ନିକଟରେ ପହଞ୍ଚିବା ପରେ ଶତାଧୀକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଉପସ୍ଥିତ ରହି ଆଧ୍ୟାତ୍ମିକ ଗୁରୁଦେବ ତଥା ଚିନ୍ମୟ ମିଶନ୍ର ପ୍ରତିଷ୍ଠାତା ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀ ମହାରାଜଙ୍କ ପାଦୁକା ଓ ପ୍ରତିମୂର୍ତ୍ତିକୁ ପୁଷ୍ପ ଓ ଚନ୍ଦନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ସହକାରେ ବନ୍ଦାପନା କରି ପାଛୋଟି ନେଇଥିଲେ । ଚିନ୍ମୟ ଅମୃତ ମହୋତ୍ସବ ପାଳନ ଅବସରରେ ସନ୍ଧ୍ୟାରେ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ୍ର ରାଉରକେଲାରୁ ଆସିଥିବା ଆଚାର୍ଯ୍ୟ ସ୍ୱାମୀ ନିର୍ଲିପ୍ତାନନ୍ଦଜୀ ମହାରାଜ ଏବଂ ସ୍ୱାମୀ ଅରୁପାନନ୍ଦଜୀ ମହାରାଜ, ଆନ୍ଧ୍ରରୁ ଆସିଥିବା ସ୍ୱାମୀ ସୁବିରାନନ୍ଦଜୀ, କୋଏମ୍ବାଟୁର୍ରୁ ଆସିଥିବା ବ୍ରହ୍ମଚାରିଣୀ ତାରିଣୀ ଚୈତନ୍ୟା, ବ୍ରହ୍ମଚାରିଣୀ ଭକ୍ତି ଚୈତନ୍ୟା ପ୍ରମୁଖ ଯୋଗଦେଇ ଆୟୋଜିତ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ୍ର ପ୍ରତିଷ୍ଠାତା ଗୁରୁଦେବ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀ ଜୀବନାଦର୍ଶ ଉପରେ ଅଶ୍ରୀବଚନ ପ୍ରଦାନ କରିଥିଲେ । ଚିନ୍ମୟ ମିଶନ୍ ଆସିକା ଶାଖା ପକ୍ଷରୁ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ମହାନ୍ତି, ଶିବରାମ ମହାରଣା, ବ୍ୟେମକେଶ ପାଢୀ, ଶତ୍ରୁଘ୍ନ ଗୌଡ, ଇ.ଭେଙ୍କେଟରମଣ ପାତ୍ର, ବିମ୍ବାଧର ପାତ୍ର, ବିଶ୍ୱନାଥ ସେଠୀ, ଭଜରାମ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ବୃନ୍ଦାବନ ବେହେରା, ବିଜୟ କୁମାର ମହାନ୍ତି, ରାମଚନ୍ଦ୍ର ଜେନାଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଚିନ୍ମୟ ଅମୃତ ମହୋତ୍ସବ ପାଳନ ଅବସରରେ ଅନୁୁଷ୍ଠିତ ଅମୃତ ମହୋତ୍ସବ ପାଳନ କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିଲା ବେଳେ ଭଜନ କୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । (


