ବିପଦବେଳେ ଲୋକଙ୍କ ପାଖରେ କଂଗ୍ରେସ: ମହାକାଳପଡ଼ାରେ ସ୍ଥିତି ଅନୁଧ୍ୟାନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ସମ୍ଭାବ୍ୟ ବାତ୍ୟା ‘ଅକବାନ’ର ମୁକାବିଲା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ସହ ପିସିସି ମୁଖ୍ୟାଳୟ ସମେତ ୮ଟି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ଓ ସହାୟତା ପାଇଁ ଜିଲ୍ଲାସ୍ତରରେ ସେବାଦଳ ଏବଂ ଛାତ୍ର କଂଗ୍ରେସର ସ୍ୱେଚ୍ଛାସେବୀ ଦଳକୁ ତୁରନ୍ତ ନିୟୋଜିତ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି ପିସିସି ପଦାଧିକାରୀ ଓ ଜିଲ୍ଲା କମିଟି ସଦସ୍ୟମାନଙ୍କୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି। ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଓ ରିଲିଫ୍ ସାମଗ୍ରୀ ଯୋଗାଇଦେବା ଉପରେ ପିସିସି ସଭାପତି ଗୁରୁତ୍ୱ ଦେଇଛନ୍ତି। ଦୁର୍ବିପାକ ସମୟରେ ଜନସାଧାରଣଙ୍କ ସହ ଛିଡ଼ା ହୋଇ ସେମାନଙ୍କ ବିପଦର ସାଥୀ ହେବାକୁ ଦଳୀୟ ନେତା ଓ କର୍ମୀଙ୍କୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ, ବାତ୍ୟା ‘ଅକବାନ’ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପିସିସି କୋଷାଧ୍ୟକ୍ଷ ଇଂ. ସିଦ୍ଧାର୍ଥ ସ୍ୱରୂପ ଦାସଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସର ଏକ ପ୍ରତିନିଧି ଦଳ ମହାକାଳପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରିଥିଲା। ପିସିସି ପିସିସି ଓବିସି ସେଲର ସମ୍ପାଦକ ବେଣୁଧର ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସମ୍ପାଦକ ପ୍ରମୋଦ ଚନ୍ଦ୍ର ସ୍ୱାଇଁ ଓ ମହାକାଳପଡ଼ା ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଏକାଧିକ ପ୍ରତିନିଧି ଦଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସୁବିଧା, ଅସୁବିଧା ଓ ସରକାରୀ ସହାୟତା ସମ୍ପର୍କରେ ଜନସାଧାରଣ, ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବେଣୁଧର ସାହୁ ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ବିଭିନ୍ନ ଗ୍ରାମରେ ଶହ ଶହ ପରିବାର ବିପଦସଂକୁଳ ଅବସ୍ଥାରେ କଚ୍ଚାଘରେ ବସବାସ କରୁଥିବା ସତ୍ତ୍ୱେ ସେମାନଙ୍କ ସୁରକ୍ଷା ଓ ସ୍ଥାନାନ୍ତରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ସରକାରୀ ଅର୍ଥର ଅପବ୍ୟବହାର ଉଦ୍ଦେଶ୍ୟରେ ପ୍ରଶାସନିକ ସ୍ତରରେ ଅନିୟମିତତା କରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ।କେତେକ ପଞ୍ଚାୟତରେ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଓ ବିପଦସଂକୁଳ ପରିବାରଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇନଥିବା ବେଳେ ଦୁଇମହଲା କୋଠାଘର ଥିବା କେତେକ ଦଳୀୟ କର୍ମୀଙ୍କୁ ଭୋଜିଭାତ ଦିଆଯାଉଥିବା ଘଟଣାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଥିଲେ।ଏଥିସହ ବିଭିନ୍ନ ପଞ୍ଚାୟତରେ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯାଉଥିବା ଦର୍ଶାଇ ଶାସକ ଦଳର କର୍ମୀମାନେ ସାମାଜିକ ଗଣମାଧ୍ୟମରେ ଫଟୋ ପ୍ରଚାର କରୁଥିବା ବେଳେ ବାସ୍ତବରେ ଅସହାୟ ଓ ବିପଦସଂକୁଳ ପରିବାରଙ୍କ ନିକଟରେ ସହାୟତା ପହଞ୍ଚୁଛି କି ନାହିଁ, ତାହା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହି ଅଭିଯୋଗକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଲୋଚନା ଚାଲିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ